ମୁଖ୍ୟ ଖବର

ଦାନ୍ତ ଉପାଡ଼ିବାକୁ ଆସିଥିଲେ ଶବ ହୋଇ ଫେରିଲେ

By Biswaranjan Pattnaik

June 16, 2024

ଅନୁଗୁଳ: ଆଜି ପୂର୍ବାହ୍ନ ୧୧ ଟା ସମୟରେ ଦାନ୍ତ ଉପାଡିବାକୁ ଆସିଥିବା ଜଣେ ବୃଦ୍ଧା ଶବ ହୋଇ ଫେରିଥିବା ଜଣା ପଡ଼ିଛି।

ଘଟଣାରୁ ପ୍ରକାଶ, ସମଲ ବ୍ୟାରେଜ୍ ଅଞ୍ଚଳର ସ୍ବର୍ଗତ ରାମଚନ୍ଦ୍ର ଦାସଙ୍କ ପତ୍ନୀ ମୀନା ଦାସ (୬୫)ଙ୍କ ଦାନ୍ତ ବିନ୍ଧା ହେଉଥିବାରୁ ଗତ ୧୨ ତାରିଖ ଦିନ ଅନୁଗୁଳ ବସଷ୍ଟାଣ୍ଡ ତଳେ ଥିବା ଅଥବା ଅମଲା ପଡ଼ା ଦ୍ଵିତୀୟ ଗଳିରେ ଥିବା ଏକ ଦାନ୍ତ କ୍ଲିନିକକୁ ଯାଇଥିଲେ।ସେଠାରେ ଡାକ୍ତର କିଛି ଔଷଧ ଦେଇ ୪ ଦିନ ଛାଡ଼ି ଆସିବାକୁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ମୀନାଙ୍କ ପୁଅ ଗୋପାଳ ଦାସ ମା’କୁ ନେଇ ଆଜି ପୂର୍ବୋକ୍ତ କ୍ଲିନିକକୁ ଆସିଥିଲେ। ସେଠାରେ ଆଜି ଦାନ୍ତ ଉପୁଡ଼ା ଯିବାକୁ ସ୍ଥିର ହୋଇଥିଲା। ଦାନ୍ତ ଉପୁଡ଼ା ପୂର୍ବରୁ ଡାକ୍ତର ବାବୁ ଦୁଇ ଦୁଇ ଥର କାଲୁଆ ଇଞ୍ଜେକସନ ଦେଇଥିଲେ। ଏହି ଇଞ୍ଜେକସନ ନେବା ପରେ ମୀନାଙ୍କ ମୁଣ୍ଡ ଘୁରାଇଥିଲ।

ଏହାପରେ ଡାକ୍ତର ବାହୁରେ ଆଉ ଗୋଟିଏ ଇଞ୍ଜେକସନ ଦେଇଥିଲେ। ଏଥିରେ ମୀନା ଦାନ୍ତ ଉପୁଡା ଚୌକିରୁ ଖସି ପଡ଼ିଥିଲେ। ଘଟଣା ଗୁରୁତର ହେଉଥିବା ଦେଖି ଡାକ୍ତର ବାବୁ ଦୁଇଟି ପିଲା ଦେଇ ରୋଗୀକୁ ଚନ୍ଦନ ନର୍ସିଂହୋମ ପଠାଇ ଦେଇଥିଲେ। ସେଠାରେ ରୋଗୀର ପଲ୍ସ କମୁଥିବା ଦେଖି ସେମାନେ ସରକାରୀ ଡାକ୍ତରଖାନା ପଠାଇ ଦେଇଥିଲେ। ସରକାରୀ ଡାକ୍ତରଖାନାରେ ଡାକ୍ତର ରୋଗୀକୁ ମୃତ ଘୋଷଣା କରି ପୋଲିସକୁ ଏମଏଲସି କଲ୍ ଦେଇଥିଲେ।

ଏହାପରେ ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା। ମୃତକଙ୍କ ପୁଅ ଗୋପାଳ ଦାସ ଅଭିଯୋଗ କରିଛନ୍ତି କି ଡାକ୍ତର କୌଣସି ପରୀକ୍ଷା ନିରୀକ୍ଷା ବା ସ୍ବାସ୍ଥ୍ୟ ଯାଞ୍ଚ ନକରି ଇଞ୍ଜେକସନ ଦେବା ଫଳରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଲା। ସବୁଠାରୁ ଦୁଃଖର କଥା ହେଲା ଅନୁଗୁଳ ଡାକ୍ତରଖାନାରେ ମା’ଙ୍କ ମୃତ୍ୟୁ ହେବା ଜାଣି ତାଙ୍କ ସହ ଆସିଥିବା ଦୁଇ କ୍ଲିନିକ୍ ପିଲା ତାଙ୍କ ଠାରୁ କ୍ଲିନିକ୍ ଚିକିତ୍ସା ଚିଠା କୌ ଶଳ ପୂର୍ବକ ନେଇ ଫେରାର ହୋଇଯାଇଥିଲେ।

ଆଜି ସନ୍ଧ୍ୟାରେ କରଡ଼ା ଗାଡିଆ ଶ୍ମଶାନରେ ମୀନାଙ୍କ ଶବ ଦାହ କରାଯାଇଥିବା ବେଳେ ଆସନ୍ତାକାଲି ସେ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।