ଘଟଣା ଓ ଦୁର୍ଘଟଣା

କୂଅରେ ଗଳି ପଡ଼ିଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

By Angul TV Bureau

April 06, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାର ଜଣେ ମହିଳା ମଙ୍ଗଳବାର ବିଳମ୍ବିତ ରାତିରେ କୂଅରେ ଗଳି ପଡ଼ିଥିଲେ। ଖବର ପାଇଁ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ କମଳୀ ମହାପାତ୍ର (୫୦) ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରିପୋର୍ଟ ମୁତାବକ, କମଳୀ ରାତିରେ ଚାଲିକି ଯାଉଥିବା ବେଳେ ଅସାବଧାନତା ବଶତଃ କୂଅରେ ଗଳି ପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ କୂଅ ପାଖରେ ପହଞ୍ଚିଥିଲେ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇନଥିଲେ। ଏଣୁ ୧୧୨ରେ କଲ୍‌ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦଉଡ଼ି ସିଡ଼ି ସାହାଯ୍ୟରେ ମହିଳାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ଆଗ୍ନିକ ସୁଧୀର କୁମାର ବେହେରା ତାଙ୍କୁ କୂଅରୁ ବାହାର କରିବାରେ ସହାୟତା କରିଥିଲେ। ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ଏକ ବହୁମୂଲ୍ୟ ଜୀବନ ବଞ୍ଚିଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ। କୂଅରୁ ଉଦ୍ଧାର ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।