ମୁଖ୍ୟ ଖବର

ହାତୀ ଆକ୍ରମଣରେ ମହିଳା ଗୁରୁତର, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

By Angul TV Bureau

March 05, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଧୋକୁଟା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଗାଁ ଲୋକ ରାସ୍ତା ଅବରୋଧ କରିବା ସହ ବନ ବିଭାଗର କର୍ମଚାରୀଙ୍କୁ ଅଟକ ରଖିଛନ୍ତି।

ସୂଚନାଯୋଗ୍ୟ, ଗାଁର ଲଳିତା ମହାଳିକ ନାମକ ଜଣେ ମହିଳା ସକାଳୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। କିନ୍ତୁ ସେଠାରେ ହଠାତ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ପାଖରେ ଥିବା ଲୋକ ପାଟି କରିବାରୁ ହାତୀଟି ପଳାଇଥିଲା। ତେବେ ହାତୀ ଆକ୍ରମଣରେ ମହିଳା ଗୁରୁତର ହୋଇ ପଡ଼ିଥିବା ବେଳେ ଗାଁ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରି ବସି ରହିଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀ ପହଞ୍ଚିବା ପରେ ଗାଁ ଲୋକ ତାଙ୍କୁ ଅଟକ ରଖିଛନ୍ତି। କ୍ଷତି ପୂରଣ, ଅଧିକ ହାତୀ ସାଥୀଙ୍କୁ ନିୟୋଜିତ କରିବା, ହାତୀଙ୍କୁ ଅଞ୍ଚଳରୁ ଘଉଡ଼ାଇବା, ଲାଇଟ ଲଗାଇବା ନେଇ ଗାଁ ଲୋକେ ଦାବି କରିଥିଲେ। ପରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ପରେ ଗାଁ ଲୋକେ ସେମାନଙ୍କୁ ଛାଡ଼ିଥିଲେ। ଘଟଣାସ୍ଥଳରେ ବନ୍ତଳା ଥାନା ଅଧିକାରୀ, ଧୋକୁଟାର ହରେକୃଷ୍ଣ ବେହେରା, ସତ୍ୟାନନ୍ଦ ସାହୁ, ଦିଲ୍ଲୀପ ପ୍ରଧାନ, ବିଭୁ ପ୍ରସାଦ ଦେହୁରୀ, ଶିବରାମ ମହାଳିକ, ସୁବାହୁ ଦେହୁରୀ, ସାରଥି ରାଉତଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।