ମୁଖ୍ୟ ଖବର

ଗାଈ ଚରାଳି ମହିଳାଙ୍କୁ ଦନ୍ତା ଆକ୍ରମଣ, ଟେକି ଫିଙ୍ଗି ଦେବାରୁ ଭାଙ୍ଗିଲା ଗୋଡ଼ ଓ ଜଙ୍ଘ

By Angul TV Bureau

April 15, 2025

ଅନୁଗୁଳ: ଗାଈ ଚରାଳିଙ୍କୁ ଦନ୍ତା ଆକ୍ରମଣ। ଭାଙ୍ଗିଲା ବାମ ଗୋଡ଼ ଓ ଜଙ୍ଘ। ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅଞ୍ଚଳରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ମହିଳାଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଜଣକ ହେଲେ ବଲଙ୍ଗ ଗ୍ରାମ ଗୋଠମାଳ ସାହିର ସୁମତି ପ୍ରଧାନ(୪୮)।

ମଙ୍ଗଳବାର ସୁମତି ଘର ପଛ ଜଙ୍ଗଲକୁ ଗାଈ ଓ ଛେଳି ଧରି ଚରାଇବାକୁ ଯାଇଥିଲେ। ସେଠାରେ ଏକ ଗୋଟିକିଆ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ସୁମତିଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ସୁମତିଙ୍କ ବାମ ଗୋଡ଼ ଓ ଜଙ୍ଘ ଭାଙ୍ଗି ଯାଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବନବିଭାଗ ସହାୟତାରେ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବନବିଭାଗ ସୂଚନା ଦେଇଛି। ପ୍ରାଥମିକ ଚିକିତ୍ସା ପାଇଁ ବନ୍ତଳା ବନାଞ୍ଚଳ ଅଧିକାରୀ ପ୍ରସନ୍ନ ସାହୁ ଆର୍ଥିକ ସହାୟତା କରିଥିବା ବେଳେ ଅଧିକ ଚିକିତ୍ସା ପାଇଁ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।