ମୁଖ୍ୟ ଖବର

ଧାର ଟଙ୍କା ସୁଝି ଦେଇଥିଲେ ବି ଧମକାଇବା ସହ ଚରିତ୍ର ସଂହାର କରୁଛନ୍ତି ଯୁବକ, ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହେଲେ ମହିଳା

By Angul TV Bureau

December 24, 2024

ଅନୁଗୁଳ: ଧାର ନେଇଥିବା ଟଙ୍କା ସୁଧ ମୂଳ ସହ ସୁଝିଥିଲେ ମଧ୍ୟ ଟଙ୍କା ଦେଇଥିବା ବ୍ୟକ୍ତି ପୁଣି ଟଙ୍କା ମାଗୁଛି ଓ ଗଣମାଧ୍ୟମରେ ଚରିତ୍ର ସଂହାର କରୁଛି। ଏଭଳି ଅଭିଯୋଗ ନେଇ ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା।

ସୂଚନାଯୋଗ୍ୟ ଯେ ଗତ ୧୯ ତାରିଖରେ ଅନୁଗୁଳ ଟାଉନ୍ ଥାନା ରଶ୍ମିତା ପ୍ରଧାନ ନାମକ ଜଣେ ମହିଳା ଅଭିଯୋଗ କରିଥିଲେ କି ବନ୍ତଳା ଥାନା ତାଳପଦା ଗ୍ରାମର ଅକ୍ଷୟ ପ୍ରଧାନଙ୍କ ଠାରୁ ସେ କୋର୍ଟରେ ଚୁକ୍ତି କରି ଧାର ସୂତ୍ରରେ ୩ ଲକ୍ଷ ଟଙ୍କା ଆଣିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ଅକ୍ଷୟ ପ୍ରଧାନ ୩ ଲକ୍ଷ ୫୦ ହଜାର ବୋଲି କହିବା ସହିତ ସୁଧ ଆକାରରେ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ଏହିପରି ଅକ୍ଷୟ ପ୍ରଧାନ ରଶ୍ମିତାଙ୍କ ଠାରୁ ମୋଟ ୪ ଲକ୍ଷ ୭୫ ହଜାର ୮୦୦ ଟଙ୍କା ନେଇଥିଲେ ମଧ୍ୟ ସେ ଅଧିକ ଟଙ୍କା ଦାବି କରିବା ସହ ମୋଟ ୧୫ ଲକ୍ଷ ଟଙ୍କା ମାଗି ଆସୁଥିଲେ।

ତେବେ ରଶ୍ମିତା କୌଣସି ଏକ କାର୍ଯ୍ୟରେ ଅନୁଗୁଳ ଟାଉନ୍ ଥାନା ଆସୁଥିବା ବେଳେ ଅକ୍ଷୟ କିଛି ବ୍ୟକ୍ତିଙ୍କୁ ଧରି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏଥିସହ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ରଶ୍ମିତାଙ୍କ ଚରିତ୍ର ସଂହାର କରିଥିବା ନେଇ ସେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଥାନା ଅଧିକାରୀ ଘଟଣାକୁ ଗୁରୁତ୍ଵ ନ ଦେବାରୁ ରଶ୍ମିତା ବାଧ୍ୟ ହୋଇ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି। ଏ ଘଟଣା ବିଷୟରେ ଅକ୍ଷୟ ପ୍ରଧାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କୌଣସି ମତାମତ ଦେବି ନାହିଁ ବୋଲି ମନା କରିଥିଲେ।