ମୁଖ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି: ଘରୁ ରାଗି ଚାଲିଯାଇଥିବା ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

By Angul TV Bureau

March 06, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ୪୦ ଦିନ ଧରି ନିଖୋଜ ଥିବା ଜଣେ ମହିଳାଙ୍କ ପଚା ମୃତଦେହକୁ ପୋଲିସ ଏକ ଜଙ୍ଗଲରୁ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ତଳଗଡ଼ ଗାଁ ତାଳ ସାହିର ସୁରେନ ନାଏକଙ୍କ ପତ୍ନୀ ସୁପ୍ରିୟା ନାଏକ।ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୬ ତାରିଖରେ ପାରିବାରିକ କଳହ ଯୋଗୁଁ ସୁପ୍ରିୟା ରାଗିଯାଇ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କର କୌଣସି ସନ୍ଧାନ ନପାଇବାରୁ ଶେଷରେ ବନ୍ତଳା ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ।

ଏହି ଘଟଣାରେ ଆଜି ଏକ ନୂଆ ମୋଡ଼ ଆସିଛି। ଶୁକ୍ରବାର ସକାଳେ ଗାଁର କିଛି ଲୋକ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଜଙ୍ଗଲକୁ ଜାଳକାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ସେଠାରେ ପ୍ରବଳ ଦୁର୍ଗନ୍ଧ ବାରିବାକୁ ପାଇଥିଲେ। ସେମାନେ ନିକଟକୁ ଯାଇ ଦେଖିବା ବେଳକୁ ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। ତୁରନ୍ତ ଏହି ଖବର ପରିବାର ଲୋକଙ୍କୁ ଦିଆଯିବା ପରେ ସ୍ୱାମୀ ସୁରେନ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ସୁପ୍ରିୟାଙ୍କର ବୋଲି ସ୍ପଷ୍ଟ କରିଥିଲେ। ମୃତଦେହଟି ଦୀର୍ଘ ଦିନର ହୋଇଥିବାରୁ ତାହା ସମ୍ପୂର୍ଣ୍ଣ ଭାବେ ପଚିଯାଇଥିବା ଦେଖିବାକୁ ମିଳିଛି।

ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତକଙ୍କ ସ୍ୱାମୀଙ୍କ ବୟାନ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସୁପ୍ରିୟା ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ ଏବଂ ସେହିଦିନଠାରୁ ଫେରିନଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ଏହା ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି କାରଣ, ତାହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।