ଅନ୍ୟାନ୍ୟ

ମହିଳା କଲେଜ ଛାତ୍ରୀଙ୍କ ବିକ୍ଷୋଭ

By Angul TV Bureau

April 17, 2021

ଅନୁଗୁଳ: କରୋନା ସଂକ୍ରମଣ କ୍ଷୀପ୍ର ଗତିରେ ବଢ଼ି ଚାଲିଥିବା ବେଳେ ଏହାର ଭୟବହତାକୁ ଦୃଷ୍ଟିରେ ରଖି ଯୁକ୍ତ ୩ର ସମସ୍ତ ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବାକୁ ଦାବି ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଏହି ଦାବି ନେଇ ଅନୁଗୁଳ ମହିଳା କଲେଜର ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଲେଜର ଅଧ୍ୟକ୍ଷାକୁ ଦାବିପତ୍ର ପ୍ରଦାନ ସହ ପରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। କଲେଜ ଠାରୁ ଚାଲି ଚାଲି ଶହ ଶହ ଛାତ୍ରୀ ସାମାଜିକ ଦୂରତ୍ଵ ରଖି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସଂକ୍ରମଣ ଦ୍ରୁତଗତିରେ ବଢୁଥିବାରୁ ଅଫ୍‌ଲାଇନ୍ ପରୀକ୍ଷା ହେଲେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି। ତେଣୁ ଅଫ୍‌ଲାଇନ୍ ପରୀକ୍ଷା ପରିବର୍ତ୍ତେ ଅନଲାଇନ୍‌ କରାଇବା ସଂକ୍ରାନ୍ତରେ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଅପରାହ୍ନରେ ସରକାର ୟୁ ଜି ଓ ପିଜିର ସମସ୍ତ ଅଫ୍‌ଲାଇନ୍ ପରୀକ୍ଷା ବାତିଲ୍‌ କରିଛନ୍ତି। ପରବର୍ତ୍ତୀ ସମୟରେ ରିଭ୍ୟୁ କରି ପରୀକ୍ଷା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯିବ ବୋଲି ଘୋଷଣା ହେବା ପରେ ଛାତ୍ରୀମାନେ ଆଶ୍ବସ୍ତି ଲାଭ କରିଛନ୍ତି। ପ୍ରକାଶ ଯେ, ଗତକାଲି ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ତାଳଚେର କଲେଜର ଛାତ୍ର ଛାତ୍ରୀମାନେ ଅଫ୍‌ଲାଇନ୍ ପରୀକ୍ଷାକୁ ବିରୋଧ କରିବା ସହ ଅନଲାଇନ୍‌ରେ ପରୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।