ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ର ନାକିଚି ଓ ମଣ୍ଡାମ ଗ୍ରାମକୁ ସଂଯୋଗ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମଣ୍ଡାମ ନାଳ ଉପରେ ନିର୍ମାଣାଧୀନ ବ୍ରିଜ୍ର କାର୍ଯ୍ୟ ଗତ ପାଞ୍ଚ ବର୍ଷ ହେବ ଅସମ୍ପୂର୍ଣ୍ଣ ହୋଇ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ବ୍ରିଜ୍ ନିର୍ମାଣରେ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ବୁଧବାର ଦିନ ନାକିଚି ଗ୍ରାମବାସୀ ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ବ୍ରିଜ୍ ନିର୍ମାଣ ପାଇଁ ୨୦୨୦ ମସିହା ଜାନୁଆରୀ ୧୦ ତାରିଖରେ ଶିଳାନ୍ୟାସ କରାଯାଇଥିଲା ଏବଂ ଏଥିପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବର୍ଷା ଦିନେ ଏହି ନାଳ ଉପରେ ଥିବା ପୁରୁଣା ପୋଲରେ ୨ ଫୁଟ୍ ପର୍ଯ୍ୟନ୍ତ ପାଣି ଚାଲୁଥିବାରୁ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଛି, ଯେଉଁଥିପାଇଁ ଏହି ବଡ଼ ବ୍ରିଜ୍ ନିର୍ମାଣର ଆବଶ୍ୟକତା ଥିଲା।
ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ୫ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ସମାପ୍ତ ହୋଇ ପାରିନାହିଁ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ବ୍ରିଜ୍ରେ ଆବଶ୍ୟକୀୟ ରଡ୍ (ରଡ୍) ଲାଗୁନାହିଁ ଏବଂ କାମ ଅତି ନିମ୍ନମାନର ହେଉଛି। ପୂର୍ତ୍ତ ବିଭାଗ ଅଧିକାରୀ ଓ ଠିକା ସଂସ୍ଥାର ସଲାସୁତା ଯୋଗୁଁ ଏଭଳି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି।
ବ୍ରିଜ୍ର ଉଭୟ ପାର୍ଶ୍ୱରେ ଆବଶ୍ୟକ ରାସ୍ତା ନିର୍ମାଣ ହେଉନାହିଁ। ଏହି ବ୍ରିଜ୍ ଉପରେ ମଣ୍ଡାମ, କମରେଇ ଓ କାକରପାଣି ଗ୍ରାମବାସୀ ନିର୍ଭର କରୁଥିବାରୁ ସେମାନେ ତୁରନ୍ତ ଏହି ବ୍ରିଜ୍ କାମକୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଛନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ହିମାଂଶୁ ମହାଳିକ କହିଛନ୍ତି ଯେ ଡିଜାଇନ୍ ପରିବର୍ତ୍ତନ ହେତୁ ବ୍ରିଜ୍ କାମ ବିଳମ୍ବ ହେଉଛି।