ମୁଖ୍ୟ ଖବର

‘ଡାହାଣୀ ଆଖ୍ୟାକୁ ନା’: ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ତଦନ୍ତ ଶାଖା ପକ୍ଷରୁ କର୍ମଶାଳା

By Angul TV Bureau

May 31, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ମହିଳାଙ୍କ ଉପରେ ହେଉଥିବା ତଦନ୍ତ ଶାଖା (LUCAW) ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାହାଣୀ ଶବ୍ଦକୁ ନେଇ ସମାଜରେ ରହିଥିବା କୁସଂସ୍କାର ବିରୁଦ୍ଧରେ ଜନ ସଚେତନତା ଆଣିବା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡିକ ମଧ୍ୟରେ ‘ଡାହାଣୀ ଆଖ୍ୟାକୁ ନା’, ‘ଡାହାଣୀ ଭୟକୁ ନା’, ‘ଡାହାଣୀ ଶବ୍ଦକୁ ନା’ ଇତ୍ୟାଦି ନାରୀ ଅତ୍ୟାଚାର ରୋକିବା ଦିଗରେ ଏକ ଅଂଶ ବିଶେଷ । ଏହି ସଚେତନତା ବାର୍ତ୍ତା ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। କର୍ମଶାଳାରେ ୟୁନିସେଫର କନସଲଟାଣ୍ଟ ଅନୁପମା ସାହୁ ଡାହାଣୀ ଆଖ୍ୟା, ଡାହାଣୀ ଶିକାର, ବାଲ୍ୟ ବିବାହ ଭଳି ସାମାଜିକ ସମସ୍ୟାଗୁଡିକର ନିରାକରଣ ପାଇଁ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା ଏବଂ ସହଯୋଗରେ ଜନସାଧାରଣଙ୍କ ମଧ୍ୟରେ ବ୍ୟବହାରଗତ ଅଭ୍ୟାସର ପରିବର୍ତ୍ତନ ଆଣିବା ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆକ୍ସନ ଏଡ୍ ଭୁବନେଶ୍ବରର ପୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ମହିଳା ସୁରକ୍ଷା ଅଧିକାରୀ ପୌର୍ଣ୍ଣମାସୀ ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କଣ୍ଡା ମୁର୍ମୁ, ଆକ୍ସନ ଏଡର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।