ଘଟଣା ଓ ଦୁର୍ଘଟଣା

କ୍ରସର ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା

By Angul TV Bureau

October 30, 2026

ଅନୁଗୋଳ: କ୍ରସରରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ଆହତ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ପାଳଲହଡ଼ା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ପରିବାର ସଦସ୍ୟ ଓ ଗ୍ରାମବାସୀ କ୍ରସର ଏବଂ ପାଳଲହଡ଼ା ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପରେ କ୍ରସର ମାଲିକଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା।

ସୂଚନା ଅନୁଯାୟୀ, ଝିମିରିପାଳି ଗ୍ରାମରେ ଥିବା ଏକ କ୍ରସରରେ ସହରଗୁରୁଜାଙ୍ଗ ଗ୍ରାମର ପ୍ରକାଶ ମହାରଣା (୪୦) ମେକାନିକ୍ ଭାବେ କାମ କରୁଥିଲେ। ଗତ ୨୭ ତାରିଖ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ସେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। କ୍ରସର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କେନ୍ଦୁଝର ଏବଂ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା।

ଗୁରୁବାର ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ଅଣାଯାଇଥିଲା। ପ୍ରକାଶ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ ମୃତଦେହକୁ କ୍ରସର ସମ୍ମୁଖରେ ରଖି ଧାରଣା ଦିଆଯାଇଥିଲା। ଅନ୍ୟପଟେ କିଛି ଗ୍ରାମବାସୀ ଥାନା ସମ୍ମୁଖରେ ମଧ୍ୟ ଧାରଣା ଦେଇଥିଲେ।

ପରେ ପରିବାର ସଦସ୍ୟ, ଗ୍ରାମବାସୀ ଓ କ୍ରସର ମାଲିକ ନରୋତ୍ତମ ସାହୁଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ଏହାପରେ ମାଲିକ ମୃତକଙ୍କ ପତ୍ନୀ ଦ୍ରୌପଦୀ ମହାରଣାଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥିବା ଜଣାପଡ଼ିଛି। ଏହାପରେ ଧାରଣା ହଟିଥିଲା।ଏ ସମ୍ପର୍କରେ ଦ୍ରୌପଦୀଙ୍କ ଲିଖିତ ଅଭିଯୋଗ ଆଧାରରେ ପାଳଲହଡ଼ା ପୋଲିସ କେସ୍ ନଂ ୩୯୪/୨୦୨୬ ରୁଜୁ କରି ତଦନ୍ତ ଚଳାଇଛି। ଥାନା ଅଧିକାରୀ ପ୍ରଦୀପ ମହନ୍ତ ଏହି ସୂଚନା ଦେଇଛନ୍ତି।