ଘଟଣା ଓ ଦୁର୍ଘଟଣା

କୂଅରେ ପଡ଼ି ଶ୍ରମିକ ଗୁରୁତର, ଉଦ୍ଧାର କଲା ଅଗ୍ନିଶମ ବାହିନୀ

By Angul TV Bureau

May 31, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ଦିନ ଗ୍ରାମର ଗୋବିନ୍ଦ ନାଏକଙ୍କ ଏକ ଖୋଲା କୂଅ ସଫା କରୁଥିବା ସମୟରେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଶ୍ରମିକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ପହଲି ବେହେରା (୫୮)।

ସୂଚନା ଅନୁଯାୟୀ, ପହଲି କୂଅ ସଫା ସାରି ଦଉଡ଼ି ସାହାଯ୍ୟରେ ଉପରକୁ ଆସୁଥିବା ବେଳେ ଅସାବଧାନତାବଶତଃ ଗଭୀର କୂଅ ଭିତରକୁ ଖସି ପଡ଼ିଥିଲେ। ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲା।

ପହଲିଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ଘଟଣାରେ ତାଙ୍କର ଏକ ଗୋଡ଼ ଭାଙ୍ଗି ଯାଇଥିବାରୁ ଏବଂ ଅବସ୍ଥା ଚିନ୍ତାଜନକ ଥିବାରୁ, ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ସ୍ପେଶାଲିଟି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।