ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଟାଙ୍ଗିରି ପଞ୍ଚାୟତ ନୂଆପଡା ଗାଁରେ ଶୁକ୍ରବାର ପୂର୍ବାହ୍ନରେ ପୁରୁଣା ଘର ଭାଙ୍ଗୁଥିବା ବେଳେ ସିଡ଼ି ଘରର କାନ୍ଥ ଖସିପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ବାମନ ବେହେରା (୪୯)।
ସୂଚନା ମୁତାବକ, ନୂଆପଡ଼ା ଗ୍ରାମର ତାପସ ମହାପାତ୍ରଙ୍କ ପୁରୁଣା ଘରକୁ ଶ୍ରମିକ ମାନେ ଭାଙ୍ଗୁଥିବା ବେଳେ ହଠାତ ସିଡ଼ି ଘରର କାନ୍ଥ ଖସି ପଡିଥିଲା। ଫଳରେ ବାମନ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ତୁରନ୍ତ ଗ୍ରାମବାସୀ ତାଙ୍କୁ ଛେଣ୍ଡିପଦାକୁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।
ଏ ସମ୍ପର୍କରେ ପରିବାର ଓ ଡାକ୍ତରଖାନା ପକ୍ଷରୁ ଛେଣ୍ଡିପଦା ଥାନାରେ ଅଭିଯୋଗ ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପଟେ ବାମନଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।