ଅନୁଗୋଳ: ତାମିଲନାଡୁର ଏକ ସୂତାକଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ନମପଶି ପଞ୍ଚାୟତ ଅନ୍ତର୍ଗତ କଣ୍ଟାନାଳୀ ଗ୍ରାମର ବିର୍ସା ଭତ୍ରାଙ୍କ ମୃତଦେହ ସୋମବାର ନିଜ ଗାଁରେ ପହଞ୍ଚିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା।
ବିର୍ସାଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାରକୁ ସହଯୋଗ କରିବା ସହ ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ବିଧାୟକ ଅଶୋକ ମହାନ୍ତି ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ତାମିଲନାଡୁ ପ୍ରଶାସନ ସହ ସମନ୍ୱୟ କରାଯାଇ ମୃତଦେହ ଗାଁକୁ ଆଣିବାର ବ୍ୟବସ୍ଥା ହୋଇଥିଲା।
ଖବର ପାଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସାଂସଦଙ୍କ ପ୍ରତିନିଧି ଲିଙ୍ଗରାଜ ଦାସ, ପାଳଲହଡ଼ା ମଣ୍ଡଳ ସଭାପତି ଆଶିଷ ସାମଲ, ଲିଙ୍ଗରାଜ ପ୍ରଧାନ, ରାଜେନ୍ଦ୍ର ସାହୁ ଓ ମଙ୍ଗଳୁ ସ୍ୱାଇଁ ପ୍ରମୁଖ ଗାଁରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ। ପୂର୍ବତନ ବିଧାୟକ ମୁକେଶ ପାଲ ମଧ୍ୟ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ।