ମୁଖ୍ୟ ଖବର

ନିଯୁକ୍ତି ଓ ଥଇଥାନ ଦାବିରେ ଖଣି ବନ୍ଦ ଆନ୍ଦୋଳନ କଲେ କର୍ମଚାରୀ, ପ୍ରତିଶ୍ରୁତି ପରେ ସ୍ଥଗିତ

By Angul TV Bureau

June 06, 2024

କଣିହାଁ: ଏମସିଏଲର କଣିହାଁ କୋଇଲା ଖଣି କ୍ଷେତ୍ର ଗୋପାଳଜୀ କୋଇଲା ଖଣି ଦ୍ଵାରା କଂସମୁଣ୍ଡା ଗ୍ରାମର କ୍ଷତିଗ୍ରସ୍ତ ପରିବାର ନିଯୁକ୍ତି ଓ ଥଇଥାନ ଦାବିରେ ଗୁରୁବାର ପୂର୍ବାହ୍ନରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଏଥି ଯୋଗୁଁ ଖଣିରୁ କୋଇଲା ପରିବହନ ଓ ଖନନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। କ୍ଷତିଗ୍ରସ୍ତ ଆନ୍ଦୋଳନକାରୀ ଖଣି ଟାଇମ ଅଫିସର ନିକଟ ଖଣି ପରିବହନ ଫାଟକ ପାଖରେ ଧାରଣାରେ ବସି ପ୍ରତିବାଦ କରିଥିଲେ।

ଅପରାହ୍ନରେ ଆନ୍ଦୋଳନସ୍ଥଳରେ ଖଣି କର୍ତ୍ତୃପକ୍ଷ ପୋଲିସ ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପନ୍ଦର ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ଜଣାପଡ଼ିଛି।

ଏ ନେଇ ଆନ୍ଦୋଳନର ନେତୃତ୍ବ ନେଇଥିବା କ୍ଷତିଗ୍ରସ୍ତ ତଥା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ବାରିକ କହିଛନ୍ତି, ଗୋପାଳଜୀ ଖଣି କ୍ଷତି ଗ୍ରସ୍ତଙ୍କ ନିଯୁକ୍ତି ନେଇ ବହୁ ବାର ଆନ୍ଦୋଳନ ହୋଇଛି। ଗ୍ରାମର ଅନେକ ନିଯୁକ୍ତି ପାଇଥିବା ବେଳେ ଅବଶିଷ୍ଟ ୩୦ ଟି ପରିବାର ନିଯୁକ୍ତି ପାଇବାରେ କର୍ତ୍ତୃପକ୍ଷ ଅବହେଳା କରୁଥିଲେ। ପନ୍ଦର ଦିନ ମଧ୍ୟରେ ନିଯୁକ୍ତି ସହିତ ଅନ୍ୟାନ୍ୟ ସମସ୍ୟା ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ସନ୍ଧ୍ୟାରେ ମିଳିବାରୁ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ।