ଅନ୍ୟାନ୍ୟ

ବିଶ୍ୱ ଏଡସ ଦିବସ: ସଚେତନତା ହିଁ ନିୟନ୍ତ୍ରଣର ଅସଲ ଚାବିକାଠି

By Biswaranjan Pattnaik

December 01, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସଭା କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟଅତିଥି ଭାବେ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀମତୀ ପ୍ରଧାନ ନିଜ ବକ୍ତବ୍ୟରେ ଏଚଆଇଭି ପୀଡିତଙ୍କୁ ସମାଜର ଅନ୍ୟ ଲୋକଙ୍କ ଭଳି ସମାନ ଅଧିକାର ଓ ସମାନ ସୁବିଧା ଦେବାକୁ ଆହ୍ଵାନ ଦେଇଥିଲେ।ସମାଜରେ ଏଡସ ନେଇ ସଚେତନତା ବଢିଲେ ଏଡସ ନିୟନ୍ତ୍ରଣ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଭାବେ ଏଡିଏମ ରଜନୀକାନ୍ତ ସ୍ୱାଇଁ ଏଚଆଇଭି ପିଡୀତଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଉପରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍କା ମ୍ୟାଲେରିଆ ଅଧିକାରୀ ଡା ପୂର୍ଣ୍ଣିମା ଉଦଗାତା, ପରିବାର କଲ୍ୟାଣ ଅଧିକାରୀ ଦିଲୀପ ପଟ୍ଟନାୟକ, ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା, ଜିଲ୍ଲା ଟିବି ଅଧିକାରୀ ବିଶ୍ୱପ୍ରକାଶ ମହାନ୍ତି, ଏଡିଏମଓ ମେଡିକାଲ ଡା ମାନସ ରଞ୍ଜନ ବିଶ୍ୱାଳ, ଏଆର୍ଟି ଅଧିକାରୀ ଶାଶ୍ୱତ ସାଗର ମିଶ୍ର ଓ ଶିଳ୍ପ ଉଦ୍ୟୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ।ସିଡିଏମଓ ଡା ତ୍ରିଲୋଚନ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ଏଡସ ମହାମାରୀର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ।ଡାପଶୁର ପ୍ରକଳ୍ପ ସଂଯୋଜିକା ଡା ପ୍ରମିଳା ହୋତା ସମାରୋହ ସଂଯୋଜନା କରିବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ସକାଳ ବେଳା ଶତାଧିକ ଛାତ୍ରଛାତ୍ରୀ ପ୍ଲା କାର୍ଡ ଧରି ଅନଗୁଳ ଡାକ୍ତରଖାନାରୁ ଶୋଭାଯାତ୍ରାରେ ବାହାରି ନଗରପରିକ୍ରମା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।