ମୁଖ୍ୟ ଖବର

ବିଶ୍ବ ଏଡସ୍ ଦିବସ ପାଳିତ: ଆକ୍ରାନ୍ତଙ୍କୁ ଭେଦଭାବ ନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପରାମର୍ଶ

By Biswaranjan Pattnaik

December 01, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କମିଟି ମିଳିତ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଛି।ଏହି ଅବସରରେ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଏଡସ୍ ନିୟନ୍ତ୍ରଣ ଅଧିକାରୀ ଡ. ବିଶ୍ବ ବିହାରି ମହାନ୍ତି ସବୁଜ ପତାକା ଦେଖାଇ ଏହି ରାଲିକୁ ଉଦଘାଟନ କରିଥିଲେ।

ବିଶ୍ବ ଏଡସ୍ ଦିବସର ଚଳିତ ବର୍ଷର ବାର୍ତ୍ତା ହେଉଛି “ଅଧିକାରର ସଠିକ୍ ମାର୍ଗ ଅନୁସରଣ କରିବା”। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କକ୍ଷ ଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ସଭାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଡସ୍ ଆକ୍ରାନ୍ତଙ୍କୁ ଭେଦଭାବ ନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ସମ୍ପର୍କରେ ଜନସାଧାରଣଙ୍କ ସଚେନତା ଜରୁରୀ ବୋଲି ଗୁରୁତ୍ୱରୋପ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଏଡସ୍ ନିୟନ୍ତ୍ରଣ ଅଧିକାରୀ ଡ. ବିଶ୍ବ ବିହାରି ମହାନ୍ତି, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ପୂର୍ଣ୍ଣିମା ଉଦଗାତା, ଜିଲ୍ଲା ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ, ପ୍ରକାଶ କୁମାର ଦାସ, ଜିନ୍ଦଲ (ସିଏସଆର)ର ସାଧାରଣ ପରିଚାଳକ ଜୟନ୍ତ ମହାନ୍ତି, ନାଲ୍‌କୋ ସ୍ୱାସ୍ଥ୍ୟ ଅଧିକାରୀ ଡ.ଚିନ୍ମୟ ବାରିକ, ଏଆରଟି ସେଣ୍ଟରର ସିନିୟର ମେଡିକାଲ ଅଫିସର ଡ.ଶାଶ୍ବତ ସାଗର ମିଶ୍ର, ସ୍ବାସ୍ଥ୍ୟ କର୍ମୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।