ଅନ୍ୟାନ୍ୟ

ଅନୁଗୁଳରେ ବିଶ୍ବ ମସ୍ତିଷ୍କାଘାତ ଦିବସ

By Angul TV Bureau

October 30, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ ଗୃହଠାରେ ଶନିବାର ବିଶ୍ବ ମସ୍ତିଷ୍କାଘାତ ଦିବସପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା ବିଶ୍ବ ବିହାରୀ ମହାନ୍ତି ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ତଥା ଏହି ରୋଗର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ। ଉଚ୍ଚରକ୍ତଚାପ, ମଧୁମେହ, ଧୁମପାନ, ମଦ୍ୟପାନ, ମୋଟାପଣ ଆଦି ମସ୍ତିଷ୍କାଘାତର ମୁଖ୍ୟ କାରଣ ବୋଲି ସେ ପ୍ରକାଶ କରିଥିଲେ। ରକ୍ତଚାପ ବୃଦ୍ଧି ଯୋଗୁଁ ପକ୍ଷାଘାତ ଘଟିଥାଏ। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ସଚେତନତା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ। ଏପିଡେମିଓଲୋଜିଷ୍ଟ ଡା ବିନୋଦ୍ ସାହୁ ଏ ବର୍ଷର ବାର୍ତ୍ତା ସମୟ ବହୁ ମୂଲ୍ୟବାନ ଉପରେ ଚର୍ଚ୍ଚା କରି ଷ୍ଟ୍ରୋକ୍ର ପ୍ରମୁଖ ଲକ୍ଷଣକୁ ଜାଣିବା ନିମନ୍ତେ ସେ ଏକ ସରଳ ଉପାୟରେ ବୁଝାଇଥିଲେ।

ସଠିକ ସମୟରେ ଚିକିତ୍ସା କରାଇଲେ ମସ୍ତିଷ୍କାଘାତକୁ ନିୟନ୍ତ୍ରଣରେ ରଖାଯାଇପାରିବ ବୋଲି ଡ଼ା ସାହୁ କହିଥିଲେ। ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା ମସ୍ତିଷ୍କାଘାତର ମୂଳ କାରଣ ଉଚ୍ଚ ରକ୍ତଚାପ, ମଧୁମେହ ଓ କଲେଷ୍ଟୋରୋଲ ଆଦିକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା ପୂର୍ଣ୍ଣିମା ଉଦଗାତା ମସ୍ତିଷ୍କାଘାତର ମୂଳକାରଣ ଗୁଡିକୁ ପ୍ରତିରୋଧ କରି ଏହାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାରାମେଡିକାଲ ଷ୍ଟାଫ, ସିଏଚ୍ଓ, ନର୍ସିଂ ଛାତ୍ରୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ସହକାରୀ ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।