ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଠାରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ଚଳିତ ବର୍ଷର ବାର୍ତ୍ତା ହେଉଛି “କର୍ମଜୀବୀ ମହିଳାମାନଙ୍କ ପାଇଁ ସ୍ତନ୍ୟପାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଏକ ପରିବର୍ତ୍ତନ ଆଣିବା”।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ କରିବାର ଉଦ୍ଦେଶ୍ୟ ଓ ସଠିକ୍ ସ୍ତନ୍ୟପାନ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଜନ୍ମର ୧ ଘଣ୍ଟା ମଧ୍ୟରେ ଶିଶୁଙ୍କୁ ସ୍ତନ୍ୟପାନ କରାନ୍ତୁ। ପ୍ରଥମ ୬ ମାସ କେବଳ ମା’ କ୍ଷୀର ଖାଇବାକୁ ଦିଅନ୍ତୁ । ଏହି ସମୟ ମଧ୍ୟରେ କୌଣସି ବାହାର ଖାଦ୍ୟ ଦିଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ଡାକ୍ତର ପୂର୍ଣ୍ଣିମା ଉଦଗାତା, ଡାକ୍ତର ବିଶ୍ବ ବିହାରୀ ମହାନ୍ତି, ଡାକ୍ତର ବିନୋଦ କୁମାର ସାହୁଙ୍କ ସମେତ ଆଶା କର୍ମୀ, ନର୍ସିଂ ଛାତ୍ରୀ, ସ୍ବାସ୍ଥ୍ୟ କର୍ମୀ, ପାରାମେଡିକାଲ ଷ୍ଟାଫ୍ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।