ମୁଖ୍ୟ ଖବର

ବିଶ୍ୱ କର୍କଟ ଦିବସ: ଜିଲ୍ଲା ସମେତ ରାଜ୍ୟରେ କର୍କଟ ବଢୁଛି

By Biswaranjan Pattnaik

February 04, 2025

ଅନୁଗୁଳ: ପରିବର୍ତ୍ତିତ ଜୀବନ ଶୈଳୀ, ଧୁମପାନ,ମଦ୍ୟପାନ, ସନ୍ତୁଳିତ ଖାଦ୍ୟର ଅଭାବ, ମେଦ ବହୁଳତା, ତମାଖୁ ସେବନ ଆଦି କର୍କଟ ରୋଗର ମୁଖ୍ୟ କାରଣ। ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମତରେ ଏକ ଲକ୍ଷ ଲୋକରେ ଏକ ଶହ ଲୋକ ଏବେ କ୍ୟାନ୍ସରରେ ପୀଡିତ। ଦେଶର କର୍କଟ ବହୁଳ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ।ଗର୍ଭାଶୟ କର୍କଟ, ପାଟି ଏବଂ ବ୍ରେଷ୍ଟକ୍ୟାନ୍ସର ରାଜ୍ୟରେ ଅଧିକ ଦେଖାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ଗତ ଏକ ଦଶନ୍ଧିରେ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨. ୫% ବଢ଼ି ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୨. ୬% ବଢ଼ିଛି। ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୩ ମସିହାରେ ୪୩, ୨୧୦ ଜଣ କର୍କଟ ରୋଗୀ ଥିବା ବେଳେ ୨୦୨୨ ବେଳକୁ ଏହା ୫୨,୯୬୦ ରେ ପହଁଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ୨୦୧୩ ରେ ୨୩୮୮୬ ଥିବା ବେଳେ ୨୦୨୨ ସୁଦ୍ଧା ଏହା  ୨୯୨୮୭ ରେ ଏହା ପହଁଚିଛି।ଯେଉଁଭଳି ଭାବେ କର୍କଟ କାୟା ବିସ୍ତାର କରୁଛି ୨୦୨୫ ସୁଦ୍ଧା ୫୫ ହଜାର ଟପିଯିବ ବୋଲି ଆକଳନ କରାଯାଉଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ କିଛି ବର୍ଷ ହେବ କର୍କଟ ଉର୍ଧ୍ଵ ଗାମୀ ହେଇଛି। ଅନୁଗୁଳରେ ଗର୍ଭାଶୟ କ୍ୟାନ୍ସର, ପାଟି କ୍ୟାନ୍ସର ଓ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନସିଡ଼ି ସେଲରେ ସନ୍ଦିଗ୍ଧ କର୍କଟ ରୋଗୀମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯାଉଛି।