ଅନୁଗୁଳ: ୟୁନେସ୍କୋ ୧୯୭୦ ଏପ୍ରିଲ ୨୨ ରେ ପ୍ରଥମ ଧରିତ୍ରୀ ଦିବସ ପାଳିବାକୁ ପ୍ରସ୍ତାବ ଦେଇଥିଲା।ସେହିଦିନଠାରୁ ବିଶ୍ୱବ୍ୟାପୀ ଏହି ଦିବସ ପାଳିତ ହୋଇଆସୁଛି। ଜୈବ ବିବିଧତା ସଂରକ୍ଷଣ,ପରିବେଶ ସୁରକ୍ଷା,ସବୁଜିମା ବୃଦ୍ଧି, ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଆଦି ବିଷୟରେ ସଚତେନତା କାର୍ଯ୍ୟକ୍ରମ ଏ ଅବସରରେ ଆୟୋଜିତ ହୋଇଥାଏ।
ଏ ପ୍ରସଙ୍ଗରେ ଆମ ଅନୁଗୁଳ ଜିଲ୍ଲା କଥା ଯଦି ଆଲୋଚନାକୁ ନେବା ତେବେ ଏକ କରୁଣ ଚିତ୍ର ସାମନାକୁ ଆସିବା ୧୯୮୦ ମସିହାରୁ ଜିଲ୍ଲାରେ ଶିଳ୍ପ ବିପ୍ଳବ ହେଲାପରେ ରାଜ୍ୟ ସରକାର ଅନୁଗୁଳ ଜିଲ୍ଲାକୁ ଶିଳ୍ପପତି ମାନଙ୍କୁ ଦେବାକୁ ଚାହିଁଲେ। କୋଇଲା ଭଳି କଞ୍ଚାମାଲ ଏଠାରେ ପ୍ରଚୁର ପରିମାଣରେ ମିଳୁଥିବାରୁ ଏବଂ ଏଠିକାର ବାସିନ୍ଦା ଶାନ୍ତ ସରଳ ତଥା କମ୍ ପ୍ରତିକ୍ରିୟାଶୀଳ ଥିବାରୁ ସହଜରେ ଶିଳ୍ପପତି ମାନେ ଏଠାରେ ସେମାନଙ୍କ ବିସ୍ତାର କରିବାକୁ ଲାଗିଲେ।
ତାଳଚେରରୁ କୋଇଲା ସରିସରି ଆସୁଥିବା ବେଳେ ଏବେ ଛେଣ୍ଡିପଦା ବ୍ଲକ୍ ଉପରେ ସମସ୍ତଙ୍କ ଆଖି। ଏହାର ୩୪ ଟି ପଞ୍ଚାୟତ ଖଣି ପରିସରଭୁକ୍ତ। ବର୍ତ୍ତମାନ ଯେଉଁ ପିଏସ୍ୟୁ ଗୁଣ୍ଡିକ ଖଣି ଖୋଳି କୋଇଲା ନେବାକୁ ଚାହୁଁ ଛନ୍ତି ଗ୍ରାମବାସୀ ସେମାନଙ୍କ ରାସ୍ତା ଚଢିବାକୁ ପ୍ରସ୍ତୁତ ନାହାନ୍ତି। ପରିବେଶକୁ ଉପେକ୍ଷା କରି କୋଇଲା ଚାଲାଣ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ। ତେଣୁ ବିକଳ୍ପ ରାସ୍ତା ବା କୋଲ କରିଡର୍ ବିଷୟରେ ଜିଲ୍ଲା ପ୍ରଶାସନ ଚିନ୍ତା କରିବା କଥା।
ସେହିଭଳି ବୃକ୍ଷରୋପଣ କାଗଜ ପତ୍ରରେ ଚାଲୁଛି ସିନା ବାସ୍ତବ କ୍ଷେତ୍ରରେ ଠିକ୍ ଓଲଟା ଚାଲିଛି। ସେହିଭଳି ଅନୁଗୁଳ ଜିଲ୍ଲାରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନେଇ ଘୋର ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ମାନେ।ହାତୀ ମଣିଷ ବିବାଦ ଏଠି ଚରମ ସୀମାରେ। ତେଣୁ ଜିଲ୍ଲାକୁ ପରିବେଶ ଦୃଷ୍ଟି କୋଣରୁ ସୁରକ୍ଷିତ ରଖିବା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ। ଜିଲ୍ଲା ପରିବେଶ ସମିତିର କାର୍ଯ୍ୟାବଳୀକୁ ତ୍ୱରାନ୍ୱିତ କରିବାକୁ ପଡିବ। ତେବେ ଯାଇ ଜିଲ୍ଲାର ତାପମାତ୍ରା ଲରେ ହ୍ରାସ ଆସିବା ସହ ଜଳବାୟୁ ଠିକ୍ ରହିପାରିବ।