ଅନ୍ୟାନ୍ୟ

ବିଶ୍ବ ଧରିତ୍ରୀ ଦିବସ ପାଳିତ: ଗଛ ଲଗାଇବା ସହ ମାଟିପାତ୍ର ବଣ୍ଟନ

By Angul TV Bureau

April 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ କାଣ୍ଡସର ଦିବ୍ୟଜୀବନ ଉଚ୍ଚ ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ‘ସ୍ପନ୍ଦନ’, ଭୁବନେଶ୍ୱର ଉତ୍କଳ ୟୁଥ୍ ଆସୋସିଏନ୍ ସୋସିଆଲ ଡେଭଲପମେଣ୍ଟ ଏବଂ ୟୁଥ୍ ଫର୍ ୱାଟର, ଇଣ୍ଡିଆ ତରଫରୁ ବିଶ୍ଵ ଧରିତ୍ରୀ ଦିବସ ୨୦୨୫ ପାଳିତ ହୋଇଛି।

ମୁଖ୍ୟ ଅତିଥି ଭାବରେ ଡକ୍ଟର ଚିନ୍ମୟ କୁମାର ବାରିକ, ସହକାରୀ ସାଧାରଣ ପ୍ରବନ୍ଧକ, ନାଲକୋ ହସପିଟାଲ ଯୋଗ ଦେଇ ଚଳିତ ବର୍ଷର ବିଷୟ ବସ୍ତୁ ‘ଆମର ଶକ୍ତି, ଆମର ଗ୍ରହ’ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

‘ସ୍ପନ୍ଦନ’ର ସଦସ୍ୟ ବିଭୁ ଶତପଥୀ ଅତିଥି ପରିଚୟ ପ୍ରଦାନ ସହିତ ଧରିତ୍ରୀ ଦିବସର ଆରମ୍ଭ, ପରିବେଶର ସୁରକ୍ଷା ପାଇଁ ଏହି ଦିବସ ପାଳନ, ବିଶ୍ବ ତାପମାତ୍ରା ବୃଦ୍ଧିରେ ଜଙ୍ଗଲ ନଷ୍ଟ, ବର୍ଦ୍ଧିତ ଜନସଂଖ୍ୟା, କଳକାରଖାନା ବୃଦ୍ଧି, ଜୀବାଶ୍ମ ଇନ୍ଧନର ବ୍ୟବହାର ବୃଦ୍ଧି, ପ୍ଲାଷ୍ଟିକ, ପଲିମର ଏବଂ ବିଭିନ୍ନ ବିଷାକ୍ତ୍ ରାସାୟନିକ ଦ୍ରବ୍ୟର ବ୍ୟବହାର ଇତ୍ୟାଦି ଯୋଗୁଁ ବିଶ୍ଵ ତାପମାନ ବୃଦ୍ଧି ପାଉଛି କହିଥିଲେ। ଏ ଅବସରରେ ବିଦ୍ୟାଳୟରେ ନିମ, ଅଶୋକ, ବେଲ, ଶାଗୁଆନ, ବଉଳ ଇତ୍ୟାଦି ଚାରାରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ୬୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମାଜସେବୀ ତଥା ଉତ୍କଳ ସମ୍ମିଳନୀ ଅନୁଗୁଳ ଜିଲ୍ଲା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ କୁମାର ସାହୁ ବିଭିନ୍ନ ପ୍ରଶ୍ନମାଳା ଆଲୋଚନା କରି କୃତି ପିଲାଙ୍କୁ ଗ୍ରୀଷ୍ମ ଋତୁରେ ଚଢ଼େଇଙ୍କୁ ପାଣି ପିଇବା ପାଇଁ ୩୦ ଟି ମାଟି ପାତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗନ୍ଧର୍ବ ଚରଣ ଦାସ, ସବୁଜ ଭୂତିଆ, ଅସୀମା ମଞ୍ଜରୀ ଦାଶ, ବିଦ୍ୟାଳୟର ସହକାରୀ ଶିକ୍ଷକ ପରେଶ ଷଡ଼ଙ୍ଗୀ, ଶୋଭାନନ୍ଦ ଆଚାର୍ଯ୍ୟ, ଶିବରାମ ସାହୁ, ଜନକ ସାହୁ, ଶିବ ପ୍ରସାଦ ରାଉତରାୟ ଏବଂ ରଶ୍ମି ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସହାୟତା କରିଥିଲେ।