ଅନୁଗୁଳ: ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ। ଅନେକ ଭାଷଣବାଜି,ସେମିନାର,ପ୍ରତିଯୋତା ଏ ଅବସରରେ ହୋଇଥାଏ।କିନ୍ତୁ ଅସଲ ସମସ୍ୟା ଯେଉଁଠି କି ସେଇଠି ରହିଯାଏ। ସତ କହିବାକୁ ଗଲେ ଆମ ପରିବେଶ ଆଦୌ ଠିକ୍ ନାହିଁ।
ଗତ ଦୁଇ ଦଶନ୍ଧି ଧରି ଅନୁଗୁଳ ବାସୀ ଜହର ଖାଉଛନ୍ତି, ଜହର ପିଉଛନ୍ତି ଆଉ ଜହର ଭିତରେ ରହୁଛନ୍ତି। ଫଳ ହେଉଛି ଅନୁଗୁଳ ଜିଲ୍ଲାରେ ବଢ଼ିଛି କ୍ୟାନ୍ସର,ହୃଦରୋଗ,କିଡନୀ ଫେଲ୍,ଚର୍ମ ରୋଗ ଆଦି ଦୁଃସାଧ୍ୟ ସ୍ବାସ୍ଥ୍ୟ ସମସ୍ୟା ।ଆମେ ଯେଉଁ ଶସ୍ୟ, ପନିପରିବା ଖାଉଛୁ ସେଥିରେ ମାତ୍ରାଧିକ ସାର, ହର୍ମୋନ ଆଦି ଦିଆଯାଉଛି। କଦଳୀ,ଲିଚୁ,କମଳା,ପଣସ କିଣିଲା ବେଳେ ସେଥିରେ ମାତ୍ରାଧିକ କାର୍ବାଇଡ ଏବଂ ଅନ୍ୟାନ୍ୟ କେମିକାଲ ସ୍ପ୍ରେ କରାଯାଉଛି।ଜିଲ୍ଲାର ବ୍ରହ୍ମଣୀ ନଦୀ ସର୍ବାଧିକ ପ୍ରଦୂଷିତ। କଳ କାରଖାନାର ବିଷାକ୍ତ ଜଳ ଏଥିରେ ମିଶୁଚି।ସବୁଠାରୁ ଅଧିକ ବିପଦ ସୃଷ୍ଟି କରୁଛି ପଲିଥିନ୍।
ଅନୁଗୁଳରେ ଦିନକୁ ୩୫ ମେଟ୍ରିକ୍ ଟନ୍ କଠିନ ବର୍ଜ୍ୟ ବସ୍ତୁ ବାହାରୁଚି। ସେଥିରୁ ଅଧିକାଂଶ ଆବର୍ଜନା ହେଉଛି ପ୍ଲାଷ୍ଟିକ। ଅନୁଗୁଳ ସହର ର ଅଧିକାଂଶ ଦୋକାନୀ ନିଷିଦ୍ଧ ପଲିଥିନ୍ ବ୍ୟାଗ୍ ବ୍ୟବହାର କରୁଛନ୍ତି। କିଛି ହୋଲସେଲର ଅତ୍ୟନ୍ତ ଚତୁରତାର ସହ ମୁନସୀପାଲିଟି ଅଞ୍ଚଳ ବାହାରେ ସେମାନେ ଚୋରା ଗୋଦାମ କରି ସହର ଭିତରକୁ ମାଲ ଚାଲାଣ କରୁଛନ୍ତି। ଏହାଦ୍ବାରା ସେମାନେ ପୌରପାଳିକା ଚଢାଉରୁ ବର୍ତ୍ତି ଯାଉଛନ୍ତି। ସହର ଭିତରେ ବୃକ୍ଷରୋପଣ ଏବଂ ସବୁଜିମା ସୃଷ୍ଟି ଦିଗହରା ହେଇଛି। ଜିଲ୍ଲାର ଖଣି ଖାଦାନ ଖୋଳା ଏବଂ ବ୍ୟାପକ ଗଛକଟା ଯୋଗୁଁ ଅକ୍ସିଜେନର ପରିମାଣ କମୁଚି ଏବଂ ବାୟୁ ପ୍ରଦୂଷଣ ବ୍ୟାପକ ହେଉଛି।ଯଦି ଅନୁଗୁଳର ପରିବେଶ ର ସୁରକ୍ଷା ପାଇଁ ଏବେଠାରୁ ଠୋସ ପଦକ୍ଷେପ ନିଆ ନ ଯାଏ ତେବେ ଅନୁଗୁଳ ଆଗାମୀ ଦିନରେ ଏକ ଶୁଷ୍କ ଅଞ୍ଚଳରେ ପରିଣତ ହେବ ଏବଂ ଜନଜୀବନ ଦୁର୍ବିସହ ହୋଇ ପଡ଼ିବ।