ମୁଖ୍ୟ ଖବର

ଜିଲ୍ଲାରର ପରିବେଶ ବିଗୁଡ଼ୁଛି: ଦାୟୀ କିଏ ???

By Angul TV Bureau

June 05, 2026

ଅନୁଗୋଳ: ଓଡ଼ିଶାର ମଧ୍ୟଭାଗରେ ଥିବା ଅନୁଗୋଳ ଜିଲ୍ଲାର ପରିବେଶ ସନ୍ତୁଳନ ଦୀର୍ଘ ବର୍ଷ ହେବ ବିଗିଡ଼ିବାରେ ଲାଗିଛି। ତେବେ ଏହାକୁ ସଜାଡିବାରେ ଯେଉଁ ଆନ୍ତରିକତା ରହିବା କଥା ତାହା ଦେଖିବାକୁ ମିଳୁନାହିଁ। ଅନୁଗୋଳର ତାପମାତ୍ରା ବର୍ଷ କୁ ବର୍ଷ ବଢୁଛି ଖରା ଦିନେ ତାପମାତ୍ରା ୪୩ ରୁ ୪୪ ଡିଗ୍ରୀ ପହଞ୍ଚି ଯାଉଛି।

୧୯୬୦ ମସିହା ପୂର୍ବରୁ ଅନୁଗୋଳରେ ଖରା ଦିନ ଆଦୌ ଜଣା ପଡୁ ନଥିଲା। ୧୯୬୦ ରୁ ୧୯୮୦ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟମ ଧରଣର ଥିଲା। ୧୯୮୦ ମସିହାରେ ଶିଳ୍ପ ଅନୁଗୋଳ ଜିଲ୍ଲାକୁ ଆସିବା ପରେ ପରେ ତାପମାତ୍ରା ବଢ଼ିବାକୁ ଲାଗିଲା। ଜଙ୍ଗଲ ସମ୍ପଦ ନଷ୍ଟ, ସହରୀକରଣ ବୃଦ୍ଧି,କଳକାରଖାନା ସ୍ଥାପନ, ଖଣି ଖାଦାନ ବୃଦ୍ଧି ଯୋଗୁଁ ଜିଲ୍ଲାର ପରିବେଶ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲା ହଜାର ହଜାର ଭାରି ଯାନ ଚାଲିବା ଦ୍ଵାରା ଧୂଳି ଉଡ଼ିଲା,କେଉଁଠି ପାଉଁଶ ପୋଖରୀ ଭାଙ୍ଗିଲାଣି ତ କେଉଁଠି କୋଇଲା ଚାଲାଣ ଯୋଗୁଁ ଧୂଳି ଉଡ଼ିଲାଣି। ବ୍ରାହ୍ମଣୀ ନଦୀରୁ ବାଲି ଚୋରାଚାଲାଣ ଯୋଗୁ ତାଳଚେରର ପରିବେଶ ମଧ୍ୟ ନଷ୍ଟ ହେଲାଣି। ଏହି ଧୂସର ପରିବେଶକୁ ହଟାଇ ସବୁଜିମା ଭରିବା ପାଇଁ ଆମକୁ ଗଛ ଲଗାଇବାକୁ ହେବ।

ବ୍ୟାପକ ବୃକ୍ଷରୋପଣ ଏହି ସମସ୍ୟାର ଏକମାତ୍ର ସମାଧାନ। ବୃକ୍ଷରୋପଣ କେବଳ ଫଟୋ ପାଇଁ ନୁହଁ ବ୍ୟାପକ ସଚେତନତା ସହ ଗଛ ଗୁଡ଼ିକ ଲଗାଇ ଏହାର ସୁରକ୍ଷା ଦାୟିତ୍ୱ ନେବାକୁ ହେବ।ଜିଲ୍ଲାକୁ ଯେଉଁ ଖଣି କମ୍ପାନୀ ବା ଶିଳ୍ପ ଆସୁଛି ସେମାନେ ବ୍ୟାପକ ଭାବେ ଗଛ ଲଗାଇବା କଥା। କିନ୍ତୁ ସେମାନେ ତାହା କରୁ ନାହାନ୍ତି ।ଜନସାଧାରଣ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁକୁ କିପରି ନଷ୍ଟ କରିବେ ବା ପ୍ଲାଷ୍ଟିକର ବ୍ୟବହାର କିପରି କମିବ ସେଥିନେଇ ସଚେତନ ହେବାକୁ ପଡ଼ିବ। ସାତକୋଶିଆ ଓ ଡେରଜାଙ୍ଗର ଜୈବ ବିବିଧତାର ସୁରକ୍ଷା ସହ ବୃକ୍ଷରୋପଣକୁ ସାର୍ବଜନୀନ କରାଯାଇ ପାରିଲେ ଅନୁଗୋଳର ପରିବେଶରେ ନିଶ୍ଚିତ ଉନ୍ନତି ଆସିବ ।