ମୁଖ୍ୟ ଖବର

ବିଶ୍ଵ ପିତୃ ଦିବସ: ଜରା ନିବାସରେ ସମୟ କାଟୁଛନ୍ତି ନିର୍ଯ୍ୟାତିତ ବାପା

By Biswaranjan Pattnaik

June 16, 2024

ଅନୁଗୁଳ: ବିଶ୍ଵ ପିତୃ ଦିବସରେ ବାପାଙ୍କ ଫଟୋ ଟାଙ୍ଗି ପୂଜା କରିବା ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପ୍ରଚାର ପ୍ରସାର କରିବା ଏବେ ଏକ ପରମ୍ପରା ହୋଇ ଗଲାଣି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ସଂକେତ ଦିଏ। ଆମ ଲୋକ ସଂଖ୍ୟାର ୫.୫ ପ୍ରତିଶତ ବରିଷ୍ଠ ନାଗରିକ। ସେମାନେ ବିଭିନ୍ନ ସମସ୍ୟା ଘେରରେ ରହୁଥିବା ବେଳେ ପରିବାର ଭିତରେ ସେ ସବୁର ସମାଧାନ ହୋଇ ପାରେ ନାହିଁ। ତେଣୁ ସରକାର ଏବେ ପ୍ରତ୍ୟେକ ଜିଲ୍ଲାରେ ଜରା ନିବାସ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି।

ବିଗତ ବିଧାନ ସଭା ରିପୋର୍ଟ ଅନୁସାରେ ଓଡ଼ିଶାରେ ୮୪ଟି ଜରା ନିବାସରେ ୨୫୧୪ ଜଣ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ପାଇଁ ସରକାରଙ୍କୁ ପ୍ରାୟ ୧୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ବର୍ଷକୁ ବର୍ଷ ଅନ୍ତେବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମେଡ଼ିକସ୍‌ର ନିର୍ଦ୍ଦେଶକ ଡ଼ା ଦିଲୀପ ସାମଲଙ୍କ ମତ ଅନୁସାରେ ଜରା ନିବାସରେ ରହୁଥିବା ବାପା ମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ପୁଅ,ବୋହୁ କିମ୍ବା ଉଭୟଙ୍କ ଦ୍ଵାରା ନିର୍ଯ୍ୟାତିତ ଥିବା ଦେଖିବାକୁ ମିଳୁଛି। ପିଲା ଦିନରୁ ସଂସ୍କାର ଅଭାବରୁ ଏଭଳି ଘଟୁଥିବା ସେ କହିଛନ୍ତି।

ପିତୃ-ମାତୃ ଭକ୍ତି ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ। ଅଧିକାଂଶ ଇଂରାଜୀ ସ୍କୁଲ ରୁ ବାହାରୁ ଥିବା ପିଲା ବାହାଘର ପରେ ବଦଳି ଯାଉଛନ୍ତି। ଏକକ ପରିବାର ଘରେ ବୁଢ଼ା ବାପା-ମା’ ରହିବା ସେମାନେ ଚାହୁଁ ନାହାନ୍ତି।ଅନେକ ସମୟରେ କଳି ଝଗଡା,ବାଡ଼ାବାଡି ତ ଆଉ କେତେବେଳେ କୋର୍ଟ କଚେରି ପର୍ଯ୍ୟନ୍ତ କଥା ଯାଉଛି। ଶେଷରେ ବାପାକୁ ଜରା ନିବାସରେ ରହିବାକୁ ପଡ଼ୁଛି। ଆମ ସମାଜକୁ ବିକଳାଙ୍ଗ କରୁଥିବା ଏହି କୁତ୍ସିତ ପରମ୍ପରା ଦୁର କରିବାପାଇଁ ଘରେ ଉତ୍ତମ ପରିବେଶ ଓ ପାରିବାରିକ ସଂସ୍କାର ରହିବା ଆବଶ୍ୟକ।