ମୁଖ୍ୟ ଖବର

ବିଶ୍ୱ ବନ ଦିବସ: ଜିଲ୍ଲାରେ ଖଣି ପାଇଁ ଗଛ ବଳି ପଡୁଛି: ଏନଜିଟିର ନୋଟିସ

By Biswaranjan Pattnaik

March 21, 2025

ଅନୁଗୁଳ: ଚାରି-ପାଞ୍ଚ ଦଶନ୍ଧି ତଳେ ଅନୁଗୁଳ ଜିଲ୍ଲାରେ ଜଙ୍ଗଲ ଭରି ରହିଥିଲା। ଜଙ୍ଗଲ ରେ ବନ୍ୟପ୍ରାଣୀଙ୍କ ପାଇଁ ପ୍ରଚୁର ଖାଦ୍ୟ ରହିଥିଲା। ଅନୁଗୁଳର ତାପମାତ୍ରା ଆଜି ଭଳି ଏତେ ଉତ୍ତପ୍ତ ନଥିଲା। ଖରା ଦିନେ ଟିକରପଡା ବେଶ ଶୀତଳ ଓ ମନୋ ରମ ଲାଗୁଥିଲା। କିନ୍ତୁ ଅଶି ଦଶକର ଶେଷ ଭାଗରେ ଶିଳ୍ପ ବିପ୍ଳବ ଆରମ୍ଭ ହେଲା। ଖଣି ଖାଦାନ ପାଇଁ ଗଛ କଟିଲା। ଧୂଳି ଧୂଆଁ ଓ ବିଷାକ୍ତ ବାଷ୍ପ ପ୍ରଭାବରେ ଆଜି ଜନ ଜୀବନଅତିଷ୍ଠ।ମୁଣ୍ଡ ପିଛା ରୋଜଗାର ବଢିଲା କିନ୍ତୁ ହାରାହାରି ଆୟୁଷ କମିଲା। ୨୦୧୯ ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲାରେ ୩୭୧. ୦୧ ବର୍ଗ କିମି ଘଞ୍ଚ ଜଙ୍ଗଲ ରହିଛି, ୧୩୮୦. ୦ ବର୍ଗ କିମି ମଧ୍ୟମ ଘଞ୍ଚ ଜଙ୍ଗଲ ରହିଛି ଏବଂ ଖୋଲା ଜଙ୍ଗଲ ୧୦୩୧. ୬୨ ବର୍ଗ କିମି ରହିଛି। ଏହିଭଳି ମୋଟ ଜଙ୍ଗଲର ପରିମାଣ ୨୭୮୨.୬୩ ବର୍ଗ କିମି। ଏହା ଅନୁଗୁଳ ଭୌଗଳିକ କ୍ଷେତ୍ରର ୪୩. ୬୫ ପ୍ରତିଶତ।

ଏବେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅଞ୍ଚଳରେ ଏକାଧିକ ଖଣି ଖୋଳା ଯିବାର ସୂଚନା ମିଳୁଛି। ସିଙ୍ଗରାଣୀ କଲିଆରିଜ ପକ୍ଷରୁ ୬୪୩ ହେକ୍ଟର ସଂରକ୍ଷିତ ଜଙ୍ଗଲ କଟା ଯିବ ବୋଲି ସୂଚନା ହସ୍ତଗତ ହୋଇଛି। ଏହି ଜଙ୍ଗଲ କଟା ନେଇ ସ୍ଥାନୀୟ ବାସିନ୍ଦା ଏନଜିଟି ରେ ଆବେଦନ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି ହୋଇଛି। ଫରେଷ୍ଟ ରାଇଟ ଆକ୍ଟ ୨୦୦୬ ର ଉଲ୍ଲଙ୍ଘନ କରାଯାଇ ଥିବା ଅଭିଯୋଗରେ ଦର୍ଶା ଯାଇଛି। ଏହି ଅଞ୍ଚଳରେ ଲକ୍ଷାଧିକ ଗଛ ରହିଛି। ଜଙ୍ଗଲ କଟା ନେଇ ଲୋକେ ପ୍ରତିବାଦ କରୁଥିବା ବେଳେ ସ୍ଥାନୀୟ ବିଧାୟକ ଚୁପ ବସିବା ଅନେକଙ୍କୁ କ୍ଷୁବ୍ଧ କରିଛି।

ମନ ଇଚ୍ଛା ଖଣି ଖୋଳା ବନ୍ଦ ନକଲେ ଅନୁଗୁଳର ଜଳବାୟୁରେ ଏଭଳି ପରିବର୍ତନ ଆସିବ ଯାହା ଫଳରେ ମଣିଷ ବସବାସ କରିବା ଅସମ୍ଭବ ହୋଇପଡିବ।