ଅନୁଗୁଳ: ସ୍ଥାନୀୟ ବିଶ୍ୱ ଯୁବ କେନ୍ଦ୍ର, ବଣିନାଳୀ ପକ୍ଷରୁ ସପଘରା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି। ବିଶ୍ୱ ଯୁବ କେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଅବସରରେ ‘ବିଜ୍ଞାନ ସମ୍ମତ ସହଭାଗୀ ସ୍ୱାସ୍ଥ୍ୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ ସଙ୍ଗୀତା ସାହୁ ଯୋଗଦେଇ ଔଷଧ ଓ ଟୀକାକରଣର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ବକ୍ତା ଭାବେ ଗୋବିନ୍ଦ ଶଙ୍ଖାରୀ ଯୋଗଦେଇ ପରିବେଶ ସହିତ ସ୍ୱାସ୍ଥ୍ୟର ସମ୍ପର୍କ, ସମତୁଳିତ ଖାଦ୍ୟ ଏବଂ ଭ୍ରାନ୍ତ ଧାରଣା ଦୂର କରି ସଠିକ୍ ସମୟରେ ଚିକିତ୍ସା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପିଲାମାନଙ୍କୁ ସଠିକ୍ ପ୍ରଣାଳୀରେ ହାତ ଧୋଇବା ଶିକ୍ଷା ଦିଆଯିବା ସହ ଜଙ୍କ ଫୁଡ୍ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପ୍ରଧାନଙ୍କ ସମେତ ୭୫ ଜଣ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ଥିଲେ। କେନ୍ଦ୍ରର କର୍ମକର୍ତ୍ତା ଅଭୟ ଚରଣ ସ୍ୱାଇଁ ଓ ପୂଜା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୁସ୍ଥ ଜୀବନଶୈଳୀ ପାଇଁ ନିୟମିତ ଯୋଗ ଓ ପ୍ରାଣାୟାମ କରିବାକୁ ଏହି ଅବସରରେ ଶପଥ ନିଆଯାଇଥିଲା।