ଅନ୍ୟାନ୍ୟ

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

By Angul TV Bureau

October 11, 2021

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସଚେତନତା ରଥ ପରିକ୍ରମା କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ରଥର ଶୁଭାରମ୍ଭ କରିବା ସହ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ଉପରେ ଆଲୋକପାତ କରିଥିଲେ । ମାନସିକ ରୋଗ ଯେପରିକି ଛାନିଆ, ମାନସିକ ଅବସାଦ, ନିଶାଦ୍ରବ୍ୟ ସେବନ, ମାନସିକ ଚାପ, ବୌଦ୍ଧିକ ବିକଳାଙ୍ଗ ଆଦି ପ୍ରତି ବର୍ଗର ଲୋକମାନଙ୍କ ଠାରେ ଦେଖାଯାଏ। ସାମାଜିକ, ଅର୍ଥନୈତିକ ଓ ଶାରୀରିକ ଅସୁସ୍ଥତା କାରଣରୁ ଏହି ରୋଗ ଉପୁଜିଯାଏ। ଉପଯୁକ୍ତ ସଚେତନତା ଓ ସମୟୋଚିତ ପଦକ୍ଷେପ ଦ୍ବାରା ମାନସିକ ଅସୁସ୍ଥତାକୁ ପ୍ରତିରୋଧ କରାଯାଇପାରିବ ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଧନଞ୍ଜୟ ବେହେରା ପ୍ରକାଶ କରିଥିଲେ। ସେ ମାନସିକ ରୋଗର ଲକ୍ଷଣ ଓ ପ୍ରତିକାର ଉପରେ ମତ ରଖିଥିଲେ। ଉପରୋକ୍ତ ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପରାମର୍ଶ କରନ୍ତୁ । ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ଓ ଔଷଧ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ ବୋଲି ସେ ସୂଚନା ଦେଇଥିଲେ । ତେବେ ମାନସିକ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିନ୍ତୁ ଭିତ୍ତିଭୂମିର ଘୋର ଅଭାବ ରହିଛି । ଜିଲ୍ଲାରେ ମାନସିକ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ୁଛି। ମାତ୍ର ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ୱାର୍ଡ୍ ନାହିଁ ।ମାନସିକ ରୋଗୀଙ୍କୁ ବିଭିନ୍ନ ୱାର୍ଡରେ ରଖି ଚିକିତ୍ସା କରାଯାଉଥିବାରୁ କେବଳ ଅନ୍ୟ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉନି, ରୋଗୀ ସମ୍ପର୍କୀୟ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ବାଧ୍ୟହୋଇ ମାନସିକ ରୋଗୀଙ୍କୁ ତାଙ୍କ ପରିବାର ଲୋକ ଘରୋଇ ଡାକ୍ତରଖାନାକୁ ନେଇ ଖର୍ଚ୍ଚାନ୍ତ ହେଉଛନ୍ତି ।