ଅନ୍ୟାନ୍ୟ

ବିଶ୍ବ ଦୃଷ୍ଟି ଦିବସ ପାଳିତ: ଚକ୍ଷୁର ବିଶେଷ ରୂପେ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

By Biswaranjan Pattnaik

October 12, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ବିଶ୍ବ ଦୃଷ୍ଟି ଦିବସ’ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ.ଶିବାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋଚନା ହୋଇଥିଲା।

ଚକ୍ଷୁର ଯତ୍ନ ଉପରେ ଗୁରୁତ୍ବ ଦେଇ ଶ୍ରୀ ମହାନ୍ତି କହିଥିଲେ ଯେ ଦୃଷ୍ଟି ଦୋଷ ଥିବା ବ୍ୟକ୍ତି ମାନେ ତୁରନ୍ତ ଚକ୍ଷୁ ପରୀକ୍ଷା କରାଇ ନିୟମିତ ଚଷମା ବ୍ୟବହାର କରିବା ଆବଶ୍ୟକ। କମ୍ପ୍ୟୁଟର କିମ୍ବା ମୋବାଇଲରେ କାମ କରୁଥୁଲେ ପ୍ରତି ୨୦ ମିନିଟରେ ୨୦ ଫୁଟ ଦୂରରେ ଥିବା ବସ୍ତୁକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଦେଖିବାକୁ, ଟାଣ ଖରାରେ ଘରୁ ବାହାରିବା ବେଳେ କଳାବଚଷମା ବ୍ୟବହାର କରିବା ତଥା ଧୂମପାନ ବର୍ଜନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏ ଅବସରରେ ଏକ ରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ବଜାର ପରିକ୍ରମା କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ବ ବିହାରୀ ମହାନ୍ତି, ଚକ୍ଷୁ ବିଶେଷଜ୍ଞ ଡ.ପରମେଶ୍ବର ଜେନା, ଡ.ନୀଳମାଧବ ପ୍ରଧାନ, ଆଶା କର୍ମୀ, ନର୍ସ ଓ ଛାତ୍ରୀ ପାରାମେଡିକାଲ ଷ୍ଟାଫ ପ୍ରମୁଖ ଯୋଗ ଦେଇଥିଲେ।