ଅନୁଗୁଳ: ବନ୍ୟଜୀବ ମାନେ ପରିବେଶର ଅଭିନ୍ନ ଅଂଶ। ଜୈବ ବିବିଧତା ଓ ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ସରକାର ଅନେକ ସ୍ଲୋଗାନ ଦେଉଛନ୍ତି। ଅନେକ କଟକଣା ବି ଅଛି ହେଲେ ବନ୍ୟ ଜୀବ ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହଁନ୍ତି। ଆମ ଜିଲ୍ଲାରେ ଅନୁଗୁଳ ଓ ଆଠମଲ୍ଲିକ ବନ ଖଣ୍ଡରେ ଘଞ୍ଚ ସଂରକ୍ଷିତ ଜଙ୍ଗଲ ରହିଛି। ବହୁ ବନ୍ୟଜୀବ ଏହି ସବୁ ଜଙ୍ଗଲରେ ରହି ଆସୁଛନ୍ତି। କିନ୍ତୁ ଶିକାରୀର ଲୋଲୁପ ଦୃଷ୍ଟି ବନ୍ୟ ଜୀବ ବଂଶ ବୃଦ୍ଧିରେ ବାଧକ ସାଜିଛି। ୨୦୨୪ ଗଣନା ଅନୁସାରେ ଜିଲ୍ଲାରେ ୨୫୪ ହାତୀ ଅଛନ୍ତି। ହାତୀ ମଣିଷ ବିବାଦରେ ଅନେକ ହାତୀ ମୃତ୍ୟୁ ମୁଖରେ ପଡୁଛନ୍ତି। ପକ୍ଷୀ ଗଣନା ଅନୁସାରେ ଜିଲ୍ଲାରେ ପାଣି ପକ୍ଷୀ ଓ ଅନ୍ୟାନ୍ୟ ପକ୍ଷୀ ମିଶି ୬୦ ପ୍ରଜାତିର ରହିଛନ୍ତି। ପ୍ରତିବର୍ଷ ଦେଶ ବିଦେଶରୁ ଡେରଜାଙ୍ଗ ଜଳଭଣ୍ଡାର ଓ ସାତକୋଶିଆକୁ ଶହଶହ ପକ୍ଷୀ ଆସିଥାନ୍ତି। ଟିକରପଡା ମହାନଦୀରେ ଘଡ଼ିଆଳ ଓ ମଗର କୁମ୍ଭୀର ଛଡା ଯାଉଛି। ଏମାନଙ୍କ ବଂଶ ବୃଦ୍ଧି ପାଇଁ ବହୁ ଉଦ୍ୟମ କରାଯାଉଛି। ଜିଲ୍ଲାରେ ମହାବଳ ନଥିଲେ ମଧ୍ୟ କଲରାପତରିଆ, ଚଉଶିଙ୍ଗା ହରିଣ, କୁଟୁରା,ସମ୍ବର୍, ବାରହା, ଉଡ଼ନ୍ତା ଗୁଣ୍ଡୁଚି ଆଦି ଜୀବ ଦେଖିବାକୁ ମିଳନ୍ତି।
ମୋଟ ଉପରେ ଅନୁଗୁଳ ଜିଲ୍ଲାର ବନ୍ୟପ୍ରାଣୀ ସମ୍ପଦର ସ୍ୱତନ୍ତ୍ରତା ରହିଛି। ଏହାର ଉପଯୁକ୍ତ ସଂରକ୍ଷଣ ହେବା ଉଚିତ୍।