ଘଟଣା ଓ ଦୁର୍ଘଟଣା

ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

By Sanjeeb Biswal

February 02, 2021

ବଅଁରପାଳ: ବଅଁରପାଳ ଥାନା ଇଲାକାରେ ମାତିଛନ୍ତି ଚୋର। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇଛନ୍ତି। ଶନିବାର ରାତିରେ ବଅଁରପାଳରେ ଏକ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଘରେ କେହି ନଥିବାର ସୁଯୋଗ ନେଇ ୧୫ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଏ ନେଇ ବଅଁରପାଳ ଥାନାରେ ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି। ପୁଲିସ୍‌ ସୂଚନା ମୁତାବକ, ନାଲ୍‌କୋ ଥାନା ଇଲାକା କୁଲାଡ ଗ୍ରାମର ରାଜେନ୍ଦ୍ର କୁମାର ସାମନ୍ତ ଅନୁଗୁଳ ସୀମାନ୍ତ ଏକ ଶିଳ୍ପସ˚ସ୍ଥାରେ କାମ କରନ୍ତି। ପ୍ଲାଣ୍ଟକୁ ଯା’ଆସ ସୁବିଧା ପାଇଁ ସେ ବର୍ଷେ ହେଲା ବଅଁରପାଳରେ ଘରଭଡ଼ା ନେଇ ସପରିବାର ରହୁଥିଲେ। ଶନିବାର ଦିନ ସପରିବାର କୁଲାଡକୁ ଆସି ରାତିରେ ରହିଥିଲେ। ସେପଟେ ବଅଁରପାଳ ଭଡ଼ା ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ କଳାକନା ବୁଲାଇଥିଲେ। ଘରେ ଥିବା ଟିଭି ସହ ଗୋଟିଏ ସୁନା ଚେନ୍‌, ସୁନା ଲକେଟ୍‌, ୧୫ ହଜାର ନଗଦ ଟଙ୍କା ସମେତ ବହୁ ଆସବାବପତ୍ର ଲୁଟି ନେଇଥିଲେ।