ତାଳଚେର: ତାଳଚେର ପୌରପାଳିକା ପକ୍ଷରୁ ବୁଧବାର ସଂଧ୍ୟାରେ ସହରର ବଡ଼ ବଜାରର ବିଭିନ୍ନ ଦୋକାନରେ ପଲିଥିନ ଉପରେ ବ୍ୟାପକ ଚଢ଼ାଉ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚମ୍ପାପଶି ଛକ ନିକଟରେ ଜନୈକ ବ୍ୟବସାୟୀଙ୍କର ଗୋଦାମ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ପଲିଥିନ୍, ପ୍ଲାଷ୍ଟିକ୍ ସାମଗ୍ରୀ, ସୋଲ ଖଲି ସମେତ ପ୍ରାୟ ୭ ଟ୍ରାକ୍ଟରରୁ ଅଧିକ ସାମଗ୍ରୀ ଜବତ କରାଯାଇଛି ବୋଲି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ସୂଚନା ଦେଇଛନ୍ତି ।
ରାତି ପର୍ୟ୍ୟନ୍ତ ଚଢଉ ଜାରି ରହିଥିଲା। ପୌରପ୍ରଶାସନ ପକ୍ଷରୁ କିଛିଦିନ ତଳେ ପଲିଥିନ କଟକଣା ଉପରେ ବ୍ୟାପକ ପ୍ରଚାର କରାଯାଇଥିଲା । ବୁଧବାର ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ ଚଢ଼ାଉ ହୋଇଥିଲା। ମଙ୍ଗଳବାର ହାଟତୋଟା ବଜାରର ପ୍ରାୟ ୨୦ଟି ଦୋକାନ ଉପରେ ଏହି ଚଢ଼ାଉ କରାଯାଇଥିଲା ଓ ଏଥିରେ ଗୋଟିଏ ଦୋକାନକୁ ସିଲ କରାଯିବା ସହ ପ୍ରାୟ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ତେବେ ଜବତ ସାମଗ୍ରୀ ଆକଳନ କରାଯାଇ ଜୋରିମାନା ଆଦାୟ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି । ପଲିଥିନ ଉପରେ ଚଢ଼ାଉ ନେଇ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି।