ଭୁବନେଶ୍ୱର : ରାଜ୍ୟରେ କମିଛି ଶୀତର ପ୍ରଭାବ, ବଢୁଛି ରାତିର ତାପମାତ୍ରା। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଉଛି । ଏଣୁ ଦୃଶ୍ୟମାନ କ୍ଷମତା ହ୍ରାସ ପାଉଛି। ଘନ କୁହୁଡ଼ି ପାଇଁ ଆଜି ୭ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ କଟକକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୁହୁଡ଼ି ଯୋଗୁ ଗାଡ଼ିମୋଟର ଚଳାଚଳରେ ସମସ୍ୟା ହେଉଛି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପୋଲିସ ଓ ପରିବହନ ବିଭାଗକୁ ଆଲର୍ଟ ରହିବା ସହ ସତର୍କତା ଅବଲମ୍ବନ ପାଇଁ କହିଛନ୍ତି। ଚିଠି ମୁତାବକ, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏଥିପାଇଁ ଜାତୀୟ ରାଜପଥରେ ସମ୍ଭାବ୍ୟ ଦୁର୍ଘଟଣା ଏଡାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୪ ଦିନ ଯାଏ ଶୀତରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ତାପରେ ସର୍ବନିମ୍ନ ତାପମାତ୍ରା ପୁଣି ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।