ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଧୀନ ନନ୍ଦପୁର ଗାଁ ନିକଟରେ ଗାଡ଼ି ଧକ୍କାକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଜଣେ ଯୁବକଙ୍କୁ ୭ ଜଣ ଦୁର୍ବୃତ୍ତ ଅତି ନିର୍ମମ ଭାବେ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି ମଧୁପୁର ଗାଁର ସୁଜିତ ସିଂ (୨୭)।
ଘଟଣା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ସୁଜିତଙ୍କ ଭାଇଙ୍କ ଗାଡ଼ି ସହ ଅନ୍ୟ ଜଣଙ୍କ ଗାଡ଼ି ଧକ୍କା ହୋଇଥିଲା। ସମାଧାନ ପାଇଁ ସୁଜିତ ନନ୍ଦପୁର ଛକରେ ପହଞ୍ଚିଥିବା ବେଳେ ଅନ୍ୟ ପକ୍ଷର ୭ ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସୁଜିତଙ୍କୁ ପ୍ରଥମେ ବନ୍ତଳା, ପରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏନେଇ ସୁଜିତଙ୍କ ଭାଇଙ୍କ ଅଭିଯୋଗ କ୍ରମେ ବନ୍ତଳା ପୋଲିସ ମାମଲା ରୁଜୁ କରିଛି। ଥାନା ଅଧିକାରୀ ବିଭୂତି ପ୍ରଧାନଙ୍କ ସୂଚନା ମୁତାବକ, ଘଟଣାରେ ସମ୍ପୃକ୍ତ ରିତେନ୍ଦ୍ର ସାହୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।