ଅନୁଗୁଳ: ରବିବାର ଅପରାହ୍ନ ପ୍ରାୟ ଦୁଇଟା ବେଳେ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କୁମଣ୍ଡ ଅଲେଖ ପାଟଣା ଅଞ୍ଚଳର ତ୍ରିଲୋଚନ ବେହେରା ନାମକ ଜଣେ ଯୁବକ ସକାଳ ବେଳା ବିଏଡ଼ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇ ମୈତ୍ରୀ ନଗରରେ ତାଙ୍କ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଶିବା ପଡ଼ିଆ ନିକଟରେ କମ୍ପାନୀ ବସଟି ତ୍ରିଲୋଚନଙ୍କୁ ପଛରୁ ଚାପି ଦେଇଥିଲା।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କମ୍ପାନୀ ବସରେ ଥିବା ଲୋକଙ୍କୁ ନିର୍ଧୁମ ଛେଚିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ବସକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମେଡିକାଲକୁ ପଠାଇଥିଲା ।