ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠାରେ ସାମାନ୍ୟ କଳିରୁ ରକ୍ତ ସମ୍ପର୍କରେ ଫାଟ ପଡ଼ିଛି। ଖମାର ଥାନା ଅନ୍ତର୍ଗତ କରଡାଖମଣ ଗାଁରେ ଜଣେ ସାନ ଭାଇ ନିଜ ବଡ଼ ଭାଇକୁ କଟୁରୀରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଲିପୁ ବେହେରା।
ସୂଚନା ଅନୁଯାୟୀ, ଦୁଇ ଭାଇ ଲିପୁ ଏବଂ ଦୀପୁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ ମନାନ୍ତର ଓ ଝଗଡ଼ା ଲାଗି ରହିଥିଲା। ପୂର୍ବରୁ ମଧ୍ୟ ଅଭିଯୁକ୍ତ ଦୀପୁ ନିଜ ବଡ଼ ଭାଇକୁ ମାଡ଼ ମାରି ଘରୁ ଫେରାର ହୋଇଯାଇଥିଲେ। ତେବେ ଶନିବାର ଦିନ ପୁଣି ଥରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ରବିବାର ସକାଳେ ଯେତେବେଳେ ବଡ଼ ଭାଇ ଲିପୁ ଶୋଇଥିଲେ, ସେହି ସମୟରେ ଦୀପୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ଦୁଇ ଭାଇଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ନିଜକୁ ବଞ୍ଚାଇବା ପାଇଁ ଲିପୁ ଏକ ଟାଙ୍ଗିଆ ଧରି ଦୀପୁକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ମଝିଆ ଭାଇ ସିପୁ ବେହେରା ପହଞ୍ଚି ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ ଲିପୁଙ୍କ ହାତରୁ ଟାଙ୍ଗିଆଟି ଛଡ଼ାଇ ନେଇଥିଲେ। ମାତ୍ର ସେହି ସୁଯୋଗରେ ଉତକ୍ଷିପ୍ତ ସାନ ଭାଇ ଦୀପୁ ନିଜ ଅଣ୍ଟାରେ ଖୋସିଥିବା ଏକ କଟୁରୀ ବାହାର କରି ବଡ଼ ଭାଇ ଲିପୁଙ୍କ ବେକକୁ ଶକ୍ତ ଚୋଟ ମାରିଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ଲିପୁଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।ଘଟଣା ପରେ ମଝିଆ ଭାଇ ସିପୁ ଖମାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ପୋଲିସ ଓ ଉପଖଣ୍ଡ ପୋଲିସ ଅଧିକାରୀ ତୁରନ୍ତ ଗାଁରେ ପହଞ୍ଚି ଅଭିଯୁକ୍ତ ଦିପୁକୁ ଅଟକ ରଖିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବର୍ତ୍ତମାନ ପୋଲିସ ଏହି ହତ୍ୟାକାଣ୍ଡର ଅଧିକ ତଦନ୍ତ ଜାରି ରଖିଛି।