ଘଟଣା ଓ ଦୁର୍ଘଟଣା

ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ଏବଂ ହତ୍ୟାଧମକ: କିଶୋରନଗର ଥାନାରେ ଏତଲା

By Angul TV Bureau

September 06, 2026

ଅନୁଗୋଳ: ଟଙ୍କା କାରବାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ ଓ ହତ୍ୟାଧମକ ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲା କିଶୋରନଗର ଥାନାରେ ଅଭିଯୋଗ ହୋଇଛି। କିଶୋରନଗର ଥାନା ଜାମୁନାଳୀ ଗାଁର ପ୍ରତାପ ବିଶ୍ୱାଳଙ୍କୁ ଡାକୁଆମୁଣ୍ଡା ଗାଁର ଅସିତ ରଞ୍ଜନ ପ୍ରଧାନ ଆକ୍ରମଣ କରିଥିବା ନେଇ ଏତଲାରେ ଦର୍ଶାଯାଇଛି।ପ୍ରକାଶ ଯେ, ପ୍ରତାପଙ୍କଠାରୁ ଅସିତ ପୂର୍ବରୁ ୧୫୦୦ ଟଙ୍କା ଧାର ନେଇଥିଲେ। ସେଥିରୁ ୧୦୦୦ ଟଙ୍କା ଫୋନପେ ମାଧ୍ୟମରେ ଦେଇଥିବାବେଳେ ବାକି ୫୦୦ ଟଙ୍କା ଦେଇନଥିଲେ। ବାକି ଟଙ୍କା ମାଗିବାରୁ ଅସିତ ଉତ୍କ୍ଷିପ୍ତ ହୋଇ ପ୍ରତାପଙ୍କୁ ଗାଳିଗୁଲଜ, ମରଣାନ୍ତକ ଆକ୍ରମଣ ଏବଂ ହତ୍ୟାଧମକ ଦେଇଥିଲେ।

ନିଜକୁ ଟାଟା ବିଦ୍ୟୁତ୍ କମ୍ପାନୀର କର୍ମଚାରୀ କହିବା ସହ ବିଦ୍ୟୁତ୍ ବାଇପାସ୍ କରି ମାମଲାରେ ଫସାଇଦେବି ବୋଲି ଅସିତ ଧମକ ଦେଇଥିବା ପ୍ରତାପ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଏନେଇ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡ଼ିତ ଦାବି କରିଛନ୍ତି।