ମୁଖ୍ୟ ଖବର

ଘରେ ନିଆଁ ଲାଗି ଜଳିଗଲେ ଯୁବକ, କାରଣ ଅସ୍ପଷ୍ଟ

By Angul TV Bureau

July 28, 2025

ଅନୁଗୁଳ: ନିଆଁ ଲାଗି ଜଳିଗଲେ ଯୁବକ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଭୟାନକ ଅଗ୍ନିକାଣ୍ଡରେ ଜଣେ ଯୁବକ ଜୀଅଁନ୍ତା ଜଳିଯାଇଛନ୍ତି। ଆଜି ଭୋର୍‌ରୁ ନିଆଁ ଲାଗିଯିବାରୁ ଜୟପୁର ଅଞ୍ଚଳର ସରୋଜ ସାହୁ (୩୫) ଜଳିଯାଇଛନ୍ତି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ମୁତାବକ, ଜୟପୁର ଅଞ୍ଚଳର ରାଧା ମୋହନ ସାହୁଙ୍କ ପୁଅ ସରୋଜ ସାହୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସରୋଜ ଗତକାଲି ଏକା ଥିବା ବେଳେ ସ୍ତ୍ରୀ ଏବଂ ଛୁଆ ନଥିଲେ। ସୋମବାର ଭୋର୍ ୪ଟାରେ ପଡ଼ୋଶୀ ଘର ଲୋକ ସରୋଜଙ୍କ ଘରେ ନିଆଁ ଲାଗିଥିବା ଦେଖି ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସାଢ଼େ ୪ଟାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ସରୋଜଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ସରୋଜଙ୍କ ମୃତ୍ୟୁ ହୋଇ ସାରିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।