ଘଟଣା ଓ ଦୁର୍ଘଟଣା

ଟ୍ରକ୍ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

By Angul TV Bureau

September 22, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଛକରୁ ତାଳଚେର ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଗୋତମରା ଗ୍ରାମ ନିକଟ ବ୍ରାହ୍ମଣୀ ଢାବା ସମ୍ମୁଖରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଗୋତମରା ଗ୍ରାମର ସୁବଳ ନାଏକଙ୍କ ପୁଅ ଶ୍ରୀପତି ନାଏକ (୩୬) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶ୍ରୀପତି ଏକ ପ୍ଲାଣ୍ଟରେ ଡ୍ୟୁଟି ସାରି ସାଇକେଲରେ ଘରକୁ ଫେରୁଥିବା ବେଳେ ବଅଁରପାଳ ପଟୁ ତାଳଚେର ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା। ଘଟଣାସ୍ଥଳରେ ଶ୍ରୀପତିଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତାଳଚେର ଅଞ୍ଚଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି।

ଉପଯୁକ୍ତ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ରାଜପଥ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ ଓ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଥିଲା।