ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ସହ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଠକେଇ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶିକ୍ଷକପଡ଼ା ଅଞ୍ଚଳର ବିଜେଡି ଯୁବନେତା ବାପୁଜୀ ପ୍ରଧାନ (୩୦)।
ପୋଲିସ ସୂଚନା ଅନୁଯାୟୀ, ସହରରେ ଭଡ଼ାଘର ନେଇ ରହୁଥିବା ଜଣେ ମହିଳାଙ୍କ ସହ ବାପୁଜୀଙ୍କର ବ୍ୟାବସାୟିକ ସୂତ୍ରରୁ ପରିଚୟ ହୋଇଥିଲା। ୨୦୨୩ ମସିହା ଅକ୍ଟୋବର ୨୫ ତାରିଖରେ ବାପୁଜୀ ସମ୍ପୃକ୍ତ ମହିଳାଙ୍କୁ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ। ପରେ ତାଙ୍କୁ ମାଟିଆସାହିସ୍ଥିତ ଏକ ଭଡ଼ାଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ମହିଳାଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ସେ ବାରମ୍ବାର ବ୍ଲାକ୍ମେଲ୍ କରିବା ସହ ଟଙ୍କା ଆଦାୟ କରୁଥିଲେ।
ଅଭିଯୋଗ ମୁତାବକ, ବାପୁଜୀ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା ମାଧ୍ୟମରେ ମହିଳାଙ୍କଠାରୁ ପ୍ରାୟ ୪୭ ଲକ୍ଷ ଟଙ୍କା ଓ ୧୧୫ ଗ୍ରାମ୍ ସୁନା ନେଇଥିଲେ। ପରବର୍ତ୍ତୀ ସମୟରେ କିଛି ଟଙ୍କା ଫେରସ୍ତ କରିଥିଲେ ହେଁ, ବାକି ୧୫ ଲକ୍ଷ ଟଙ୍କା ଓ ସୁନା ମାଗିବାରୁ ସେ ପୁଣି ଥରେ ଅଶ୍ଲୀଳ ଭିଡିଓ ସାର୍ବଜନୀନ କରିଦେବାକୁ ଧମକ ଦେଇଥିଲେ। ଏପରିକି ୨୦୨୫ ସେପ୍ଟେମ୍ବର ୨୫ରେ ଏକ କାର୍ (ଓଡି-୧୯-୧୧୭୭) ଭିତରେ ସେ ପୁଣି ଥରେ ଦୁଷ୍କର୍ମ କରିଥିବା ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବାପୁଜୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।