ଅନୁଗୋଳ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ ପାଟଣା ସାହିରେ ଏକ ପରିବାର ଗ୍ରାମ ଛାଡ଼ିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ର ସାହୁଙ୍କ ଦୁଇ ପତ୍ନୀଙ୍କ ପରିବାର ମଧ୍ୟରେ ୧୯୮୨ ମସିହାରୁ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ପ୍ରଥମ ପତ୍ନୀଙ୍କ ପୁଅ ଜିତେନ୍ଦ୍ର ସାହୁଙ୍କୁ ଦ୍ୱିତୀୟ ପତ୍ନୀଙ୍କ ପୁଅମାନେ ବାରମ୍ବାର ମାରପିଟ କରିବା ସହ ଘରକୁ ପଶିବାକୁ ଦେଉନାହାନ୍ତି। ଏହି ନିର୍ଯାତନା ଅସହ୍ୟ ହେବାରୁ ଜିତେନ୍ଦ୍ର ଗତ ୪ ମାସ ହେବ ନିଜ ପରିବାର ସହ ଗାଁ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି।
ପୂର୍ବରୁ ୧୦୮ ଆମ୍ବୁଲାନ୍ସ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଜିତେନ୍ଦ୍ର ଏବେ ଜୀବିକା ହରାଇଛନ୍ତି। ଗତ ୩ ତାରିଖରେ ଜିତେନ୍ଦ୍ର ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ଗତ ୬ ତାରିଖରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୀଡ଼ିତ ପରିବାରକୁ ଥଇଥାନ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।