ଅନ୍ୟାନ୍ୟ

ସିବିଏସ୍‌ଇର ନାରୀବିଦ୍ବେଷୀ ହୀନ ଦୃଷ୍ଟିଭଙ୍ଗୀକୁ ବିରୋଧ

By Angul TV Bureau

December 19, 2021

ଅନୁଗୁଳ: ନାରୀ ବିଦ୍ବେଷୀ ପ୍ରଚାରକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ନାରୀର ଅଧିକାର ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ଦାବିରେ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମ୍ଏସ୍ଏସ୍) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ କରାଯାଇଥିବା ଏହି ବିକ୍ଷୋଭରେ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଇଂରାଜୀ ବିଷୟରେ ମହିଳାମାନଙ୍କ ସଂପର୍କରେ ଆସିଥିବା ନିମ୍ନମାନର ଉକ୍ତିକୁ ଦୃଢ ନିନ୍ଦା କରାଯାଇଛି। କେନ୍ଦ୍ର ସରକାର ସିବିଏସ୍‌ଇ କର୍ତ୍ତୃପକ୍ଷ ବିରୁଦ୍ଧରେ ଅବିଳମ୍ବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭବିଷ୍ୟତରେ ଯେପରି ଏହିପରି ଭୁଲର ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଦୃଢ ଦାବୀ କରାଯାଇଛି। ସୂଚନା ଯେ, ସ୍ତ୍ରୀ ସ୍ଵାଧୀନତା ପିଲାମାନଙ୍କ ଉପରେ ପିତାମାତାଙ୍କର କର୍ତ୍ତୃତ୍ଵକୁ ଧ୍ୱଂସ କରିଛି। ଅତୀତରେ ସ୍ତ୍ରୀମାନେ ସ୍ଵାମୀମାନଙ୍କର ଆଜ୍ଞାଧୀନ ଥିଲେ। ଚାକର ଓ ପିଲାମାନଙ୍କୁ ସେମାନଙ୍କ ସ୍ଥାନ ସଂପର୍କରେ ଅବଗତ ରହିବା ପାଇଁ ଶିକ୍ଷା ଦିଆଯାଉଥିଲା ବୋଲି ଉଲ୍ଲେଖ ରହିଥିଲା। ତେଣୁ ଏଆଇଏମ୍ଏସ୍ଏସ୍ ଦୃଢଭାବେ ବିଶ୍ଵାସ କରେ ଯେ ଏହିପରି ଚିନ୍ତାଧାରାର ପ୍ରଚାର ପ୍ରସାର ପୁରୁଷତାନ୍ତ୍ରିକ ଦୃଷ୍ଟିଭଙ୍ଗୀ ଦ୍ଵାରା ନିମଜ୍ଜିତ ଏହି ସମାଜରେ ଛାତ୍ରଛାତ୍ରୀ ଓ ଜନଗଣଙ୍କ ମଧ୍ୟରେ ଆହୁରି ଲିଙ୍ଗଗତ ବୈଷମ୍ୟ ଓ ଅସମ୍ବେଦନଶୀଳତା ବୃଦ୍ଧି କରିବ। ସଂଗଠନର ଜିଲ୍ଲା ସଭାନେତ୍ରୀ ମନ୍ଦୋଦରୀ ରାଉଳ, ସଂପାଦିକା ମାନସୀ ସ୍ଵାଇଁ, ଉପସଭାନେତ୍ରୀ ସରୋଜିନୀ ନାୟକ, ପ୍ରମିଳା ପଣ୍ଡା, ପ୍ରଗତିବାଳା ନାୟକ, ବବିତା ସାହୁ, ଗୋଲାପ ନାଏକ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।