ମୁଖ୍ୟ ଖବର

ଜିଲ୍ଲା ମହୋତ୍ସବ ପ୍ରସ୍ତୁତି ବୈଠକ

By Swagatika Samantray

November 15, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ମହୋତ୍ସବ ୨୦୨୩ ଜାନୁୟାରୀ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜନ କରାଯିବାକୁ ବୈଠକରେ ସ୍ଥିର କରାଗଲା। ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କ ସହଯୋଗରେ ଆୟୋଜନ କରାଯିବା ପାଇଁ ସ୍ଥିର କରାଗଲା। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବ। ପ୍ରତ୍ୟେକ ବ୍ଲକ, ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ମାନଙ୍କରୁ ଶ୍ରେଷ୍ଠ ବିବେଚିତ ଗୋଟିଏ ସାଂସ୍କୃତିକ ଦଳ ଚୟନ କରାଯାଇ ଜିଲ୍ଲା ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ସ୍ଥିର କରାଗଲା।

ମହୋତ୍ସବ ସମୟରେ କବିତା ପାଠୋତ୍ସବ, ଲେଖକ ସମ୍ମିଳନୀ, ଯୋଗ ପ୍ରାଣାୟମ ଶିବିର ଏବଂ ବିଭିନ୍ନ ଖେଳକୁଦର ଆୟୋଜନ କରାଯିବ। ମହୋତ୍ସବର ସଫଳ ରୁପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ବିଭିନ୍ନ କମିଟି ଗଠନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୋଳ ଉପଜିଲ୍ଲାପାଳ ବଇତୁରା ଦିପଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।