ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମରା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ତାଳଚେର ବ୍ଲକର ଘଟଣ୍ଟପଡ଼ା ଓ ଟେଣ୍ଟୋଲୋଇ ଗାଁ ମଧ୍ୟସ୍ଥଳରେ ଏକ କୋଲ୍ ୱାସରିକୁ ନେଇ ଆନ୍ଦୋଳନ ଚାଲିଥିଲା। ତେଣୁ ସୋମବାର ଜିଲ୍ଶପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଶାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କସହ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ବୈଠକ ଶେଷ ହୋଇଥିଲା।
ଏହାପରେ ସମସ୍ତେ ବାହାରକୁ ଆସିଥିଲେ। ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଆଗରେ ୨୧ ନଂ ଜିଲ୍ଲାପରିଷଦ ଜୋନର ସଭ୍ୟା ସତ୍ୟଭାମା ସାହୁଙ୍କୁ ଜଣେ ସପକ୍ଷବାଦୀ ଧକ୍କା ମାରିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପାଟି ଶୁଣି ଜିଲ୍ଲାପାଳ ବାହାରକୁ ଆସି ଏଥିରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଥଣ୍ଡା ପଡ଼ିଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ଏହାକୁ ନେଇ ଅନୁଗୁଳ ରାଜନୀତି ସରଗରମ ହୋଇଛି।
ଜିଲ୍ଲା ପରିଷଦ ସଭ୍ୟା ସତ୍ୟଭାମା ସାହୁ ଅନୁଗୁଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ରାକେଶ ପ୍ରଧାନ ନାମକ ଜଣେ ଯୁବକ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ତାଙ୍କୁ ରକ୍ଷା କରିବା ପାଇଁ ଆସିଥିବା ରଂଜିତା ସାହୁଙ୍କୁ ସୁନୀଲ ବିଶ୍ବାଳ, ଅବିନାଶ ସାହୁ ଓ ଅଶୋକ ଦାସ ମାରପିଟ୍ କରିବା ସହ ଟଣାଓଟଣା କରିଥିଲେ। ପୋଲିସ ଏକ ମାମଲା ରୁଜୁକରି ଅଭିଯୋଗର ତଦନ୍ତ ଆରମ୍ଭ କରିଛି।
ସେହିଭଳି ଅପରପକ୍ଷରୁ ଘଣ୍ଟପଡ଼ା ସରପଞ୍ଚ ସଶ୍ମୀତା ବିଶ୍ବାଳ ଅନୁଗୁଳ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବିପକ୍ଷବାଦୀମାନେ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ପୋଲିସ ଉଭୟ ପକ୍ଷଙ୍କ ଅଭିଯୋଗକୁ ଗ୍ରହଣକରି ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଏକ କୋଲ୍ ୱାସରିକୁ ନେଇ ୨ ଗୋଷ୍ଠୀ ଭିତରେ କିଛିଦିନ ହେଲା ବିବାଦ ଦେଖା ଦେଇଛି। ଏହି କୋଲ ୱାସରିକୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଛନ୍ତି। ପ୍ରଦୂଷଣ ହେଉଛି କହି ଅନ୍ୟ ଏକ ଗୋଷ୍ଠୀ ବିରୋଧ କରୁଛନ୍ତି। ଏହାକୁ ନେଇ ତାଳଚେରରେ ଅର୍ଥନୈତିକ ଅବରୋଧ କରାଯାଇଛି।