ମୁଖ୍ୟ ଖବର

ଦେଢ଼ ବର୍ଷ ହେଲାଣି ଜିଲ୍ଲା ପ୍ରଶାସନର କବଜାରେ ଅନୁଗୁଳ ପ୍ରେସକ୍ଲବ ! ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମିଳୁନି ଚାବି, ପୂର୍ବତନ ଜିଲ୍ଲାପାଳ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ

By Angul TV Bureau

July 05, 2024

ଅନୁଗୁଳ : ଜିଲ୍ଲା ପ୍ରଶାସନ କବଜାରେ ଅନୁଗୁଳ ପ୍ରେସକ୍ଲବ। ଦୀର୍ଘ ଦେଢ଼ ବର୍ଷ ହେବ ଅନୁଗୁଳ ପ୍ରେସ କ୍ଲବ ଜିଲ୍ଲା ପ୍ରଶାସନ କବ୍ଜାରେ ରହିଛି। ପୂର୍ବତନ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରେସ କ୍ଲବକୁ ୨୦୨୩ ଜୁନ ମାସରେ ବେଆଇନ ଭାବରେ ସିଲ କରାଯାଇଥିଲା। ପର ମୁହୂର୍ତ୍ତରେ ପ୍ରେସ କ୍ଲବକୁ ଅନୁଗୁଳ ସଦର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କରିଦିଆଯାଇଥିଲା।

ତେବେ ସାମ୍ବାଦିକ ମାନଙ୍କୁ ଭୟଭୀତ କରିବାକୁ ପୂର୍ବତନ ଜିଲ୍ଲାପାଳ ଏହି ଚକ୍ରାନ୍ତ କରିଥିଲେ ବୋଲି କୁହାଯାଉଛି। ପଞ୍ଜିକୃତ ଅନୁଗୁଳ ପ୍ରେସ କ୍ଲବକୁ ପ୍ରଶାସନ କବଜା କରିଦେବା ଫଳରେ ସାମ୍ବାଦିକ ମାନେ ଖବର ଲେଖିବା ଓ ବସାଉଠା କରିବାରୁ ବଞ୍ଚିତ ହୋଇଥିଲେ।

ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଥିବା ବେଳେ ଅନୁଗୁଳ ପ୍ରେସକ୍ଲବ ପଞ୍ଜିକୃତ ହୋଇଥିଲା। ସାଂସଦ ପାଣ୍ଠିରୁ ପ୍ରେସକ୍ଲବର ଗୃହ ନିର୍ମାଣ ହୋଇଥିଲା। କିନ୍ତୁ ବିନା ନୋଟିସରେ ତତତ୍କାଳୀନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶରେ ପ୍ରେସ କ୍ଳବକୁ ସିଲ କରିଦିଆଯାଇଥିଲା ବୋଲି ଅନୁଗୁଳ ପ୍ରେସକ୍ଲବର ସାଧାରଣ ସମ୍ପାଦକ ରିଆଜୁଦିନ ଅହମ୍ମଦଙ୍କ କହିଛନ୍ତି। ଏ ନେଇ ପ୍ରେସ କ୍ଲବର ସଦସ୍ୟ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ କୋର୍ଟ ପ୍ରେସକ୍ଲବ ଚାବି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରେସକ୍ଲବ ସାମ୍ବାଦିକଙ୍କୁ ଚାବି ହସ୍ତାନ୍ତର କରି ନାହିଁ ବୋଲି ପୂର୍ବତନ ସାଧାରଣ ସମ୍ପାଦକ ରୋହିତ କୁମାର ବେହେରା କହିଛନ୍ତି।

ତେବେ ତୁରନ୍ତ ସାମ୍ବାଦିକଙ୍କୁ ଚାବି ଦେବାକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି।