ଅନୁଗୁଳ: ସ୍ଥାନୀୟ ତାମ୍ରିତ କଲୋନୀର ଏକ ଭଡ଼ା ଘରୁ ଚୋରି
ଅଭିଯୋଗରେ ଟାଉନ୍ ଥାନା ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଅସିତ୍ କୁମାର(୩୦)। ତା’ର ଘର କଟକ ଜିଲ୍ଲା କିଶନନଗର ଥାନା କଲରାବାଙ୍କ ଗାଁରେ ହୋଇଥିବା
ବେଳେ ସେ ତୁରଙ୍ଗରେ ରହୁଥିଲା। ପୋଲିସ୍ ତା’ ଠାରୁ ଚୋରି ସାମଗ୍ରୀ ଗୋଟିଏ ଏସି, ଗୋଟିଏ ଫ୍ରିଜ୍, ଡୋର ସ୍କ୍ରିନ୍, ଟ୍ରଲି ବ୍ୟାଗ୍, ୨ଟି କଟର ମେସିନ୍, ଗୋଟିଏ ଡ୍ରିଲ୍ ମେସିନ୍, ଗୋଟିଏ ବାଇକ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି।
ସୂଚନା ମୁତାବକ, ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଏକ ପ୍ଲାଣ୍ଟରେ ଚାକିରି କରୁଥିବା ବିଜୟ କୁମାର ଠାକୁର ତାମ୍ରିତ କଲୋନୀରେ ଘରଭଡା ନେଇ ରହୁଥିଲେ। ସେ ଗତ ୨୩ ତାରିଖ ସକାଳେ ଘର ତାଲା ପକାଇ ଡ୍ୟୁଟିକୁ ଯାଇଥିଲେ । ମାତ୍ର ସନ୍ଧ୍ୟାରେ ଘରକୁ ଫେରିବା ପରେ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ଦୁର୍ବୃତ୍ତ ଏସି, ଫ୍ରିଜ୍, ଟ୍ରଲି ବ୍ୟାଗ୍ ଆଦି ଚୋରି କରିନେଇଥିବା ସେ ଥାନାରେ
ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଅଭିଯୁକ୍ତ ଅସିତ୍କୁ କାବୁ କରିଥିଲା। ତା’ ଠାରୁ
ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିବା ବେଳେ ସେ ଏକାକି ଚୋରି କରି ଏକ ଅଟୋରିକ୍ସାରେ ସମସ୍ତ ଜିନିଷ ବୋହି ନେଇଥିବା ଜଣାପଡିଛି।