ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗାଁରେ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ସେ ୨ ବର୍ଷ ତଳେ ବିବାହ କରିଥିଲେ। ଝିଅକୁ ହତ୍ୟା କରି ବେକରେ ରଶି ଲଗାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ତାଙ୍କ ବାପ ଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି।
ପରିବାର ଲୋକଙ୍କ ଅଭିଯୋଗ ପରେ ସଦର ଥାନାର ଗୋଟିଏ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶବର ତନଖି କରାଯାଇଛି। ଘଟଣାସ୍ଥଳରୁ ପୋଲିସ ସୁଇସାଇଡ଼ ନୋଟ୍ ଜବତ କରିଛି। ଅନ୍ୟପଟେ ଶାଶୁ ଘର ଲୋକ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ସେ ନିଜେ ସ୍ୱାମୀଙ୍କ ସହିତ ଝଗଡା କରି ଆତ୍ମହତ୍ୟା କରିଛନ୍ତି।
ଝିଅର ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ ବିବାହ ସମୟରେ ସୁନା ଓ ଯୌତୁକ ବାବଦକୁ ୩ ଲକ୍ଷ ଟଙ୍କା ଦିଆଯାଇଥିଲା। କିନ୍ତୁ ଶାଶୁ ଘର ଲୋକେ ଅଧିକ ୨ ଲକ୍ଷ ଟଙ୍କା ଦାବି କରି ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏବେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।