ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ପଞ୍ଚାୟତର କଇଁଛପଦା ଗ୍ରାମ ନିକଟରେ ରବିବାର ଅପରାହ୍ଣରେ ଜଣେ ଫେରିବାଲା ଦୁର୍ବୃତ୍ତଙ୍କ ଦ୍ଵାରା ଲୁଟପାଟର ସମ୍ମୁଖୀନ ହୋଇଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ୧୫ ଶହ ଟଙ୍କା ଛଡ଼ାଇ ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ପଶ୍ଚିମବଞ୍ଚ ପୂର୍ବ ମେଦିନାପୁର ଜିଲ୍ଲା ଭଗବାନପୁର ଗ୍ରାମର ମୋତିଲାଲ ଜେନା ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ଗତ ୨୨ ବର୍ଷ ହେଲା ରହି ସ୍ଥାନୀୟ ଅଞ୍ଚଳରେ ଫେରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ଗାଁ ଗାଁ ବୁଲି ଚୁଡ଼ି ଶଙ୍ଖା ଆଦି ବେପାର କରୁଛନ୍ତି। ଆଜି ଛେଣ୍ଡିପଦା ଥାନା କମ୍ପସଲା ପଞ୍ଚାୟତରେ ବୁଲୁଥିବା ବେଳେ କଇଁଛପଦା ଗାଁ ନିକଟରେ ଏକ ଗଛତଳେ ଜିନିଷପତ୍ର ବୋଝେଇ ହୋଇଥିବା ମଟର ସାଇକେଲ୍ ପାକିଂ କରି ଖାଇ ବସିଥିଲେ । ସେତିକିବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ପହଞ୍ଚି ମୋତିଲାଲଙ୍କୁ ଅତର୍କିତ ଭାବରେ ଭୁଜାଲିରେ ଆକ୍ରମଣ କରିଥିଲେ। ସେ ଭୟଭୀତ ଅବସ୍ଥାରେ ଥିବା ବେଳେ ତାଙ୍କ ପାଖରେ ଥିବା ୧୫ଶହ ଟଙ୍କା ଧରି ଦ୍ରୁତ ଗତିରେ ଖସି ଯାଇଥିଲେ। ମୋତିଲାଲ ଗୁରୁତର ଆହତ ହୋଇ ଗଛ ମୂଳରେ ପଡ଼ି ରହିଥିଲା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହାତରେ ଗଭୀର କ୍ଷତ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିଲା।
ଫେରିବାଲାକୁ ଭୁଜାଲିରେ ହାଣି, ଟଙ୍କା ଲୁଟ୍
- Post published:September 6, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
