ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ଦୁଇଟି ଜାଗାରେ ଚଢ଼ଉ କରି ବିପୁଳ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ଧଳା ଜହରର ମୂଲ୍ୟ ୪ ଲକ୍ଷ ୪୦ ହଜାର ଟଙ୍କା ହେବ। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଅନୁଗୁଳ ଅବକାରୀ ବିଭାଗ ଖବର ପାଇଥିଲା ଯେ ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଜଣେ ଯୁବକ ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି କରିବା ପାଇଁ ବଳରାମ ପ୍ରସାଦ ଲେବୁଲ କ୍ରସିଂ ଠାରେ ଗ୍ରାହକ ଅପେକ୍ଷାରେ ଛିଡ଼ା ହେଇଛି। ଖବର ପାଇ ଅବକାରୀ ଅଧିକାରୀମାନେ ଅତର୍କିତ ଚଢ଼ାଉ କରି ଦେବେନ୍ଦ୍ର ବିଶ୍ୱାଳକୁ ଗିରଫ କରିଥିଲେ। ଏଥିସହ ତା’ଠାରୁ ୨୯ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୨ ଲକ୍ଷ ୯୦ହଜାର ଟଙ୍କା ହେବ।
ସେହିପରି ବୁଧବାର ସକାଳ ୯ଟା ୩୦ରେ ଅବକାରୀ ଅଧିକାରୀ ମାନେ ବଅଁରପାଳ ଥାନା ଗିରାଙ୍ଗ ଛକ ଠାରେ ଚଢ଼ାଉ କରି ସେଠାରୁ ସାଲଗାଡ଼ିଆ ଗ୍ରାମର ଶଶୀକାନ୍ତ ସାମଲକୁ ଗିରଫ କରିବା ସହ ତା ଠାରୁ ୧୫ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ମୂଲ୍ୟ ୧ଲକ୍ଷ ୫୦ହଜାର ଟଙ୍କା ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ଚଢ଼ଉରେ ଇନସ୍ପେକ୍ଟର ମାନସୀ ସାହୁ, ଓଆଇସି ଗାୟତ୍ରୀ ମାଝୀ, ଏସ ଆଇ ଯୋଗେଶ୍ୱର ଜେନା ପ୍ରମୁଖଙ୍କ ସମେତ ଅନ୍ୟ ଅବକାରୀ ଅଧିକାରୀ ସାମିଲ ଥିଲେ।


