ଅନୁଗୁଳ: ରାଣୀଗୋଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା ଘଟଣାରେ ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମୃତକଙ୍କ ପତ୍ନୀ ନିରୁପମା ବିଶ୍ଵାଳ ଏସ୍ପିଙ୍କୁ ଅଭିଯୋଗ କରିଛନ୍ତି।
ଗତ କିଛି ଦିନ ତଳେ ରାଣୀଗୋଡା ଗ୍ରାମରେ ନିରୁପମାଙ୍କ ସ୍ଵାମୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନିରୁପମା ଥାନାରେ ଅଭିଯୋଗ କରିଥିଲେ, ଯାହା ଆଧାରରେ ଅନୁଗୁଳ ପୋଲିସ ଦୁଇ ଅଭିଯୁକ୍ତ ଛୋଟୁ ସାହୁ ଓ ସୁନି ସାହୁଙ୍କୁ ଗିରଫ କରିଥିଲା।
କିନ୍ତୁ ନିରୁପମାଙ୍କ ଅଭିଯୋଗ ଅନୁଯାୟୀ, ଏହି ହତ୍ୟା ଘଟଣାରେ ତିନି ଜଣ ସମ୍ପୃକ୍ତ ଥିଲେ। ତୃତୀୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହି ବାହାରେ ବୁଲୁଥିବା ବେଳେ ପୋଲିସ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଛନ୍ତି। ନିରୁପମା କହିଛନ୍ତି ଯେ, ତାଙ୍କ ସ୍ଵାମୀଙ୍କୁ ରାଣୀଗୋଡା ଗ୍ରାମର କିଛି ଲୋକ ଅତି ନିର୍ମମ ଭାବେ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି। ତେଣୁ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ସେ ଏସ୍ପିଙ୍କ ନିକଟରେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।