ଅନୁଗୁଳ: ଅନୁଗୁଳରେ ନାଲକୋ କମ୍ପାନୀ ସ୍ମେଲଟର କାରଖାନାର ବ୍ରାଉନ ଫିଲଡ଼ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। କ୍ଷେତ୍ର ସର୍ବେକ୍ଷଣ ଓ ପରିବାର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ସର୍ଭେ ସମୟରେ ରହି ଯାଇଥିବା ଅଭିଯୋଗ ଶୁଣାଣି ନାଲକୋ ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜାରି ରହିଛି। ତେବେଭଲୋକଙ୍କ ଅଭିଯୋଗ ଶୁଣୁଥିବା ନାଲକୋ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଅଭିଯୋଗ କରିବାକୁ ଆସିଥିବା ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଅସଲି କବଲା ଓ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ପଟ୍ଟା ଥିଲେ ମଧ୍ୟ ସାର୍ଟିଫାଏ କପି ମାଗୁଥିବା ଲୋକେ ଅଭିଯୋଗ ଆଣିଛନ୍ତି।
ଉତ୍ତରାଧିକାରୀ ମାନେ ଦୁଇ ଖାନା ସଂଶୋଧନ କରି ନିଜ ନାମକୁ ପଟ୍ଟା ଆଣିଛନ୍ତି। ସେ ସବୁ କିପରି ହେଲା ବୋଲି ସାର୍ଟିଫାଏ କପି ମାଗୁଛନ୍ତି। ଫଳରେ ଜିଲ୍ଲା ଉପ ନିବନ୍ଧନ କାର୍ଯ୍ୟାଳୟ ଠାରୁ ତହସିଲଦାରଙ୍କ କାର୍ଯ୍ୟାଳୟ ଏପରିକି ଜିଲ୍ଲା ରେକର୍ଡ ରୁମ ସବୁଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଫର୍ମ କିଣିବା ଠାରୁ ଷ୍ଟାମ୍ପ ଟିକସ ଦେୟ, ଏପରିକି ଆବେଦନ ପାଇଁ ସରକାରୀ ଦେୟ ଏ ସବୁ ମିଶାଇ ୧୫ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଅଥଚ ଲୋକଙ୍କ ପାଖରେ ଅସଲି ଦସ୍ତାବିଜକୁ ଅଧିକାରୀ ଜଣଙ୍କ ଗ୍ରହଣ କରୁନାହାନ୍ତି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି।
ନାଲକୋ କମ୍ପାନୀ ଜମି ଅଧିଗ୍ରହଣ କରୁଥିବା ବେଳେ ପ୍ରଶାସନ ମଧ୍ୟସ୍ଥତା କରୁଛି। ଲୋକଙ୍କ ସୁବିଧା ସହ ଶିଳ୍ପର ବିକାଶ ପାଇଁ ପ୍ରଶାସନ ଦୁଇପକ୍ଷକୁ ସମାନ ଭାବେ ଦେଖିବା କଥା। ହେଲେ କମ୍ପାନୀ ପ୍ରୀତିରେ ଶହଶହ ବର୍ଷର ଭିଟାମାଟି ଲୋକେ ଛାଡିବାକୁ ଥିବା ଲୋକ ମାନଙ୍କୁ ବାରମ୍ବାର ଦୌଡ଼ାଉ ଥିବାରୁ ଜମି ଅଧିଗ୍ରହଣ ନେଇ ଲୋକେ ବିରକ୍ତି ପ୍ରକାଶ କରୁଛନ୍ତି।